ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଓ ଇନୋଭେସନ୍ ସେଣ୍ଟର (ଡିପିଆଇସି)। ଏ ନେଇ ରାଜ୍ୟ ସରକାର ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓକାକ୍ ଏମ୍ଡି ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଓକାକ୍ ସିଇଓ ମନୋଜ ପଟ୍ଟନାୟକ ଓ ‘ଚିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍ ଇଣ୍ଡିଆ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲେନି ଚୌଧୁରୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।ଏହି ସେଣ୍ଟର ଜରିଆରେ ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ଓ ମୂଲ୍ୟାଙ୍କନ ଭିତ୍ତିକ ତଥ୍ୟ ପ୍ରଦାନ କରିବେ। ଏହା ପ୍ରମାଣ ଭିତ୍ତିକ ଶାସନକୁ ନିଶ୍ଚିତ କରିବ।
ଚିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ପ୍ରତିଷ୍ଠାନର ବୈଷୟିକ ଅନୁସନ୍ଧାନ ପରାମର୍ଶଦାତା ଅନନ୍ତ ସୁଦର୍ଶନ କହିଛନ୍ତି, ‘ଆମେ ଶିଳ୍ପ ପାଇଁ ଗ୍ରାଉଣ୍ଡବ୍ରେକିଂ ଷ୍ଟାର୍ ରେଟିଂ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଓଡ଼ିଶା ସରକାରଙ୍କୁ ସହଯୋଗ କରିବୁ। ଏହା ସାମର୍ଥ୍ୟ ବୃଦ୍ଧି ତଥା ସ୍ୱାସ୍ଥ୍ୟ ଓ ପରିବେଶ ସମସ୍ୟାକୁ ହ୍ରାସ କରିବ।