ଭୁବନେଶ୍ବର/ଢେଙ୍କାନାଳ : ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍‌ (ଡିପିଏମ୍‌ୟୁ) ଗଠନ କରିଛନ୍ତି। ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗ ଦ୍ବାରା ପରିଚାଳିତ ଏହି ୟୁନିଟ୍‌ ବିଶେଷକରି ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହାର କାର୍ଯ୍ୟକାରିତାର ଅନୁଧ୍ୟାନ ଓ ମୂଲ୍ୟାଙ୍କନରେ ଜିଲ୍ଲା ଯୋଜନା କମିଟି (ଡିପିସି)କୁ ସହାୟତା ପ୍ରଦାନ କରିଥା’ନ୍ତି। ଏଥିସହିତ, ଏହି ୟୁନିଟ୍‌ ଉପରେ ଆହୁରି ବି କିଛି ଦାୟିତ୍ବ ରହିଛି ଏବଂ ଏହି ପରିପ୍ରେକ୍ଷୀରେ ଡକାଯାଇଥିବା ବୈଠକରେ ସରକାରୀ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇଥା’ନ୍ତି। କିନ୍ତୁ, ଆଶ୍ଚର୍ଯ୍ୟର ବିଷୟ ହେଉଛି, ଢେଙ୍କ‌ାନାଳରେ ଆସନ୍ତ‌ା ୨୬ ତାରିଖ ବୈଠକରେ ଯୋଗଦେବା ପାଇଁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ମଲ୍ଳିକଙ୍କୁ ଆମନ୍ତ୍ରଣ କରାଯାଇଛି।

Advertisment

publive-image

ଢେଙ୍କାନାଳ ଜିଲ୍ଲାପାଳ ପତ୍ର ନମ୍ବର ୯୫୭/୨୪.୯,୨୦୧୯ରେ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ‌େଯ, ଆସନ୍ତାକାଲି ଦିନ ୧୨ଟା ୧୫ ମିନିଟ୍‌ ସମୟରେ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଗୃହ ଏବଂ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେବେ। ଏଥିରେ ଯୋଗଦେବା ପାଇଁ ଢେଙ୍କାନାଳ ସାଂସଦ, ପର୍ଜଙ୍ଗ ବିଧାୟକ, ହିନ୍ଦୋଳ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ଆମନ୍ତ୍ରଣ କରାଯାଇଛି। ସେମାନଙ୍କ ସହିତ ବିଜେଡି ଜିଲ୍ଲା ସଭାପତିଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିବାରୁ ଏହି ପତ୍ରରୁ ଜଣାପଡ଼ିଛି।

ଏକ ସରକାରୀ କାର୍ଯ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜିଲ୍ଲା ଅଧ୍ୟକ୍ଷଙ୍କୁ କିଭଳି ଯୋଗଦେବା ପାଇଁ ଜିଲ୍ଲାପାଳ ପତ୍ର ଲେଖିଲେ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ, ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀଙ୍କଠାରୁ ମତାମତ ହସ୍ତଗତ ହୋଇପାରିନାହିଁ।