ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲନେସ କ୍ୟାମ୍ପସ୍ ପାଇଁ ଖୁବଶୀଘ୍ର ଡିପିଆର୍

ଭୁବନେଶ୍ବର : ଝାରସୁଗୁଡ଼ାରେ ପ୍ରସ୍ତାବିତ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲ‌ନେସ କ୍ୟାମ୍ପସ୍ ପାଇଁ ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ବିବରଣୀ ବା ଡିପିଆର ଉପସ୍ଥାପନ କରାଯିବ। ପରବର୍ତୀ ସମୟରେ ଡିଏମ୍‌ଇଟିଙ୍କ ଅନୁମୋଦନ ପରେ ସରକାରୀ ସ୍ତରରେ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ବୋଲି ସୋମବାର ଦିନ ଲୋକସେବା ଭବନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରୁ ସୂଚନା ମିଳିଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ମେଡିକାଲ କଲେଜ ସଂପର୍କିତ ବୈଠକ ବସିଥିଲା। ସରକାରୀ ଓ ଘରୋଇ ସହଭାଗିତାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ପ୍ରାୟ ୫୦ ଏକର ଜମିରେ ୱେଲନେସ ସେଣ୍ଟର ମଧ୍ୟରେ ଆୟୁର୍ବେଦ, ନେଚରପ୍ୟାଥି, ଯୋଗ, ପଞ୍ଚକର୍ମ ଓ ମାନସିକ ସ୍ବାସ୍ଥ୍ୟ ଭଳି ସୁବିଧା ଉପଲବ୍ଧ ହେବ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏଭଳି ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ବାସ୍ଥ୍ୟସେବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବୈଠକରେ କୁହାଯାଇଛି।

ମେଡିକାଲ କଲେଜ ଓ ୱେଲନେସ ସେଣ୍ଟର ଅଲଗା ଅଲଗା ସ୍ଥାନରେ ନିର୍ମାଣ କରାଯିବ। ୧୦୦ ଶାସନ ବିଶିଷ୍ଟ ମେଡିକାଲ କଲେଜରେ କ୍ଲିନିକାଲ ସୁବିଧା ସହ ଏଠାରେ ଡାକ୍ତରୀ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମର ବ୍ୟବସ୍ଥା ରହିବ। ଏହି ବୈଠକରେ ଡିଏମ୍‌ଇଟି, ସ୍ବାସ୍ଥ୍ୟସେବା ନିର୍ଦେଶକ, ଆୟୁଷ ନିର୍ଦେଶକ ଉପସ୍ଥିତ ଥିବା ବେଳେ ପ୍ରସ୍ତାବିତ ମେଡିକାଲ କଲେଜ ପକ୍ଷରୁ ଅଶୋକ ଗାନ୍ଧୀ, ପୱନ ସୁଲତାନିଆଙ୍କ ସହ ଏକ ପ୍ରତିନିଧିମଣ୍ଡଳୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର