ଭୁବନେଶ୍ବର : ରାଜ୍ୟର ପ୍ରମୁଖ ସରକାରୀ ହୋମିଓପ୍ୟାଥି ଡାକ୍ତରଖାନା ଡା.ଅଭିନ୍ନ ଚନ୍ଦ୍ର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଗବେଷଣା ଆଶା ମଉଳିବାରେ ଲାଗିଛି। ଶେଷଥର ଲାଗି ୨୦୧୧ ମସିହାରେ କଲେଜରେ ଉଚ୍ଚ ରକ୍ତଚାପ ସଂପର୍କରେ ମୂଷାଙ୍କ ଉପରେ ଗବେଷଣା ହୋଇଥିଲା। ଏଭଳି ଗବେଷଣା ଦେଶରେ ପ୍ରଥମଥର ଲାଗି ଅନୁଷ୍ଠିତ ହୋଇଥିଲା। ଏହି ଗବେଷଣା ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହେବା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା। ତେବେ ମେଡିକାଲ କଲେଜରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବେ ଅଧିକ ଗବେଷଣାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ୧୯୯୮ ମସିହାରେ ପ୍ରଥମଥର ଲାଗି ଗବେଷଣା ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇଥିଲା। ଏସିନୋଫିଲିଆ ଉପରେ ଏସିନୋଫିଲିନ୍ ଔଷଧ କିଭଳି କାର୍ଯ୍ୟ କରୁଛି, ତାହାର ଗବେଷଣା ହୋଇଥିଲା। ଏଥିରେ ୮୮ପ୍ରତିଶତ ପର୍ଯ୍ୟନ୍ତ ସଫଳତା ମିଳିଥିଲା। ସେହିପରି ୧୯୯୯-୨୦୦୨ ମସିହାରେ ଜରାୟୁ ସ୍ପଣ୍ଡିଲାଇଟିସ୍ ଉପରେ ବୱେଲ ନସଡେସ୍ କିଭଳି କାର୍ଯ୍ୟ କରୁଛି, ତାହାର ଗବେଷଣା କରାଯାଇଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ଏହାର ସଫଳତା ହାର ୮୫ ପ୍ରତିଶତ ରହିଥିଲା। ୨୦୦୫ରୁ ୨୦୦୮ ମସିହା ପାଇଁ ପୁରୁଷମାନଙ୍କ ପ୍ରୋଷ୍ଟେଟ୍ ସମସ୍ୟା ସଂପର୍କରେ ଗବେଷଣା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ସମୁଦାୟ ୪୫୦ଜଣ ରୋଗୀଙ୍କୁ ବିଚାରକୁ ନିଆଯାଇଥିବା ବେଳେ ତହିଁରୁ ୨୨୨ଜଣଙ୍କୁ ଚୟନ କରାଯାଇଥିଲା। ପ୍ରୋଷ୍ଟେଟ୍ ପାଇଁ ଥୁଜା, କୋନିୟମ, କିମାଫିଲା ଭଳି ଔଷଧ କିଭଳି କାର୍ଯ୍ୟ କରୁଛି, ତାହାର ଗବେଷଣା ହୋଇଥିଲା ବେଳେ ଏହାର ସଫଳତା ୮୬ ପ୍ରତିଶତ ରହିଥିବା ଜଣାପଡ଼ିଛି।
ତେବେ ୨୦୦୮ରୁ ୨୦୧୧ ମସିହାରେ ମୂଷାମାନଙ୍କୁ ନେଇ ଗବେଷଣା ହୋଇଥିଲା। ଉଚ୍ଚ ରକ୍ତଚାପ ଏବେ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହୋମିଓପ୍ୟାଥି ଔଷଧ ରୌଫେଲିଆ ସର୍ପେଣ୍ଟିନା ପ୍ରଦାନ କରାଯାଉଛି। ଏହି ଔଷଧର ସଫଳତା ହାର କେତେ, ତାହା ଜାଣିବା ପାଇଁ ମୂଷାଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ବାହାରୁ ୭୦/୮୦ ମୂଷାଙ୍କୁ ଅଣାଯାଇ ସେମାନଙ୍କ ଉଚ୍ଚ ରକ୍ତଚାପକୁ ରୌଫେଲିଆ ସର୍ପେଣ୍ଟିନା ଔଷଧ ଦ୍ବାରା ନିୟନ୍ତ୍ରଣ କରାଯାଇଥିଲା। ଏଥିରେ ସଫଳତା ହାର ୯୦ ପ୍ରତିଶତ ରହିଥିଲା। ମାତ୍ର ଏହା ଉପରେ ଉଚ୍ଚତର ଗବେଷଣା ପାଇଁ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। କଲେଜରେ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଗାର ରହିଥିବା ବେଳେ ଗବେଷଣା ପାଇଁ ସ୍ବତନ୍ତ୍ର ଭାବେ କୌଣସି ପରୀକ୍ଷାଗାର ନାହିଁ। ଏହାସହ ଉଚ୍ଚତର ଗବେଷଣା ପାଇଁ ପ୍ରଫେସର୍ ରୢାଙ୍କର ଜଣେ ପ୍ରିନ୍ସିପାଲ ଇନଭେଷ୍ଟିଗେଟର୍ଙ୍କ ସହ ସହ-ଇନଭେଷ୍ଟିଗେଟର, ସିନିଅର ରିସର୍ଚ ଫେଲୋ, ଲା ବୋରେଟାରି ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିବା ଜରୁରୀ। ମାତ୍ର କଲେଜରେ ସ୍ବତନ୍ତ୍ର ଭାବେ ଏଥିପାଇଁ କୌଣସି ଗବେଷଣା ଶାଖା ନ ଥିବାରୁ ଏଭଳି ଉଚ୍ଚତର ଗବେଷଣା ନେଇ ଆଶଙ୍କା ପ୍ରକାଶ ପାଇଛି। ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ବାଇଓ- ଟେକ୍ନୋଲୋଜି ବିଭାଗରେ ଥାଇରଏଡ୍ ନେଇ ହୋମିଓପ୍ୟାଥିକ ଔଷଧର ପ୍ରଭାବ ସଂପର୍କରେ ଗବେଷଣା ପାଇଁ ଅନୁମୋଦନ ମିଳିଛି। ଯଦି ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥି କଲେଜରେ ଗବେଷଣା ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଥାନ୍ତା, ତା’ ହେଲେ ଏହି ଗବେଷଣା ସମ୍ଭବ ହୋଇପାରିଥାନ୍ତା ବୋଲି କଲେଜର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dr.-abhin-chandra-homoeopatic-medical-1.jpg)