କର୍ଣ୍ଣାଟକରୁ ଠାବ ହେଲେ କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳିଲା। ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ନୀତୀଶ ଓ୍ବାଧଓ୍ବାନୀ। ଏବେ ଡାକ୍ତର ଅମ୍ଳାନଙ୍କୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଚାଲିଛି। ତେବେ ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା।

ଶନିବାର ବିଳମ୍ବିତ ରାତିରୁ ଡାକ୍ତର ଭୋଇ ନିଖୋଜ ଥିଲେ।  କ୍ବାର୍ଟର୍ସ ସମ୍ମୁଖରୁ ମିଳିଥିବା ଚିଠିରୁ ମାଓବାଦୀ ଅପହରଣ କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ଉକ୍ତ ଚିଠିକୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଛି। କାରଣ ଶୁଦ୍ଧ ଓଡ଼ିଆ ଭାଷା ସହ ଇଂରାଜୀ ଭାଷାରେ ଏହି ଚିଠି ଲେଖାଯାଇଛି। ପୂର୍ବରୁ ଏତେ ଶୁଦ୍ଧ ଓଡ଼ିଶାରେ ମାଓବାଦୀ ଚିଠି ଲେଖିବାର ନଜିର ନାହିଁ। ସେହିପରି ମାଓବାଦୀ କାହାକୁ ଅପହରଣ କଲେ ୨୪ଘଣ୍ଟା ମଧ୍ୟରେ ତାହାର ସୂଚନା ଗଣମାଧ୍ୟମକୁ ଦେଇଥାନ୍ତି। କିନ୍ତୁ ୩୬ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ମାଓବାଦୀ କୌଣସି ସୂଚନା ଦେଇନାହାନ୍ତି। ସେହିପରି ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଖାନାରେ ପାଟିତୁଣ୍ଡ ହୋଇଥିଲା। ତେଣୁ ସେହି ଘଟଣା ସହ ଡାକ୍ତରଙ୍କ ଅପହରଣକୁ ବି ଯୋଡ଼ିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯେଉଁମାନଙ୍କ ସହ ଡାକ୍ତରଙ୍କ ପାଟିତୁଣ୍ଡ ହୋଇଥିଲା ସେମାନଙ୍କୁ ଆଜି ଥାନାକୁ ଡକାଯାଇଥିଲା। ପଚରାଉଚରା ସମୟରେ ଶୁକ୍ରବାର ଡାକ୍ତରଖାନାରେ ସେମିତି କିଛି ହୋଇନଥିବା ପୁଲିସକୁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଶନିବାର ବିଳମ୍ବିତ ରାତିରେ ଡାକ୍ତର ଏଟିଏମ୍‌ରୁ ୪୮ହଜାର ଟଙ୍କା ଉଠାଇଥିଲେ। ଦୁଇଟି ମୋବାଇଲ ଫୋନ୍‌ ବ୍ୟବହାର କରୁଥିଲେ ବୋଲି ମଧ୍ୟ ଜଣାପଡ଼ିଥିଲା। ଗୋଟିଏ ଫୋନ୍‌ କ୍ବାର୍ଟର୍ସରେ ଛାଡ଼ି ଯାଇଥିଲା ବେଳେ ଆଇ ଫୋନ୍‌ ସାଥୀରେ ନେଇଯାଇଥିବା ପୁଲିସ କହିଥିଲେ।

ତଥାପି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ଏକାଧିକ ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇ ଚରଣ ସିଂ ମୀନା କାଲିମେଳା ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଅମ୍ଳାନଙ୍କ ସହକର୍ମୀ ଡାକ୍ତର ଜିଜ୍ଞାସୁ ରାଉତରାୟ ଓ ଡାକ୍ତର ରାକେଶ ସାହୁଙ୍କୁ ଥାନାକୁ ଡକାଇ ଜେରା କରିଥିଲେ। କ୍ବାର୍ଟର୍ସ ଏବଂ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏସ୍‌ପି ନୀତୀଶ ୱାଧୱାନୀ ମଧ୍ୟ  ବାରମ୍ବାର କାଲିମେଳା ଯାଇ ପରିସ୍ଥିତି ଉପରେ ନଜର ରଖିଥିଲେ। ଏସ୍‌ଡିପିଓ ସଚିନ ପଟେଲ ତଦନ୍ତର ନେତୃତ୍ବ ନେଇ ସନ୍ଧାନ ଜାରି ରଖିଥିଲେ। ଜିଲ୍ଲାପାଳ ସଚିନ ପାୱାର ମଧ୍ୟ ଡାକ୍ତରଙ୍କ ସନ୍ଧାନ ନିମନ୍ତେ ଟିମ୍‌ ଗଠନ କରିଥିବା ସୂଚନା ମିଳିଛି। ଆଜି ସକାଳେ ଡାକ୍ତର ଅମ୍ଳାନ ଭୋଇଙ୍କ ବାପା ଅବନି ଭୋଇ, ମା’ ବିନୋଦିନୀ ସାମଲ, ମାମୁ ମନୋଜ କୁମାର ସାମଲ, ଭଉଣୀ ସ୍ବାଗତିକା ଭୋଇ, ମଉସା ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ମାଲକାନଗିରି ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଖୋଜି ବାହାର କରିବାକୁ ନିବେଦନ କରିଥିଲେ। ଯଦି ମାଓବାଦୀ ଅପହଣ କରିଛନ୍ତି ତେବେ ତୁରନ୍ତ ଛାଡ଼ି ଦେବାକୁ ନେହୁରା ହୋଇଥିଲେ। ଅମ୍ଳାନଙ୍କ ବାପା ଓ ମା’ ମଧ୍ୟ କନ୍ଧମ‌ାଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ନିଜ ପୁଅକୁ ଖୋଜି ଆଣି ଦେବାକୁ ଆକୁଳ ନିବେଦନ କରିଥିଲେ। ସରକାର ତୁରନ୍ତ ତାଙ୍କ ପୁଅକୁ ଖୋଜି ଆଣି ଦିଅନ୍ତୁ ବୋଲି ଉଭୟ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର