ଭୁବନେଶ୍ବର : କୋଭିଡ୍-୧୯ ବୟସ୍କ ଲୋକଙ୍କୁ ଅଧିକ ସଂକ୍ରମିତ କରିଥାଏ ବୋଲି ଯେଉଁ ଧାରଣା ରହିଥିଲା, ତାହା ଅନେକ ଘଟଣାରେ ଦୂରୀଭୂତ ହୋଇଛି। ଭାରତରେ ଏପରିକି ଅନ୍ୟ ଦେଶରେ ବୟସ୍କ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଏଥିରେ ସାମିଲ୍‌ ହୋଇଛନ୍ତି ଆମେରିକାର ମିଚିଗାନସ୍ଥିତ ‌ୱେନ୍‌ ଷ୍ଟେଟ୍‌ ୟୁନିଭସିର୍ଟିର ଜଣେ ୯୨ ବର୍ଷୀୟ ଗବେଷକ ଡାକ୍ତର ଆନନ୍ଦ ପ୍ରସାଦ। ନିଜର ସ୍ବୟଂ ଚିକତ୍ସା ପରେ ସେ କୋଭିଡ୍‌-୧୯ ଭୂତାଣୁକୁ ପରାସ୍ତ କରିଛନ୍ତି। କେବଳ ସେ କାହିଁକି, ତାଙ୍କ ପତ୍ନୀ ଆର୍ଯ୍ୟବାଳା ମଧ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ତାଙ୍କ ପତ୍ନୀଙ୍କ ବୟସ ମଧ୍ୟ ସାମନ ୯୨ ବର୍ଷ, ସେ ମଧ୍ୟ କୋଭିଡ୍‌-୧୯ର ଶିକାର ହୋଇଥିଲେ।

Advertisment

ପଶ୍ଚିମ ବ୍ଲୁମ୍‌ଫିଲ୍ଡ ଟାଉନ୍‌ସିପ୍‌ରେ ରହୁଥିବା ଡା. ଆନନ୍ଦ ପ୍ରସାଦ କିଛି ସପ୍ତାହ ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିଲେ। ସେହି ସମୟରେ ତାଙ୍କ ପତ୍ନୀଙ୍କ ଦେହ ମଧ୍ୟ ଖରାପ ହୋଇଯାଇଥିଲା। ନିଜେ ଜଣେ ଡାକ୍ତର ହୋଇଥିବାରୁ ଏବଂ ତମାମ କ୍ୟାରିୟର୍‌ରେ ମିନେରାଲ ଜିଙ୍କ୍‌ ଉପରେ ଗବେଷଣାରତ ଥିବାରୁ ଏହା ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ଫଳରେ, କୋଭିଡ-୧୯ରୁ ସୁସ୍ଥ ହେବା ପାଇଁ ନିଜେ ନିଜର ଯୋଜନା ନିର୍ଦ୍ଧାରଣ କରିଥିଲେ। ଡା. ପ୍ରସାଦ କୁହନ୍ତି ଯେ, ସେ ଓ ତାଙ୍କ ପତ୍ନୀ ଜିଙ୍କ୍‌ ଏବଂ ମାଲେରିଆ ପାଇଁ ବ୍ୟବହୃତ ଔଷଧ ହାଇଡ୍ରୋକ୍ଲୋରୋକୁଇନ୍‌ ଏଥିପାଇଁ ବ୍ୟବହାର କରିଥିଲେ। ମାର୍ଚ୍ଚ ଶେଷ ଆଡ଼କୁ ସେ ଭୂତାଣୁର ନମୁନା ଚିହ୍ନଟ ହେବା ପୂର୍ବରୁ ଜିଙ୍କ୍‌ ଗ୍ରହଣ କରୁଥିଲେ।

ମାତ୍ର, ଡା. ପ୍ରସାଦ କହିଛନ୍ତି ଯେ, ନିଜ ଜଣେ ଡାକ୍ତର ହୋଇଥିବାରୁ ଜିଙ୍କ୍‌-ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ବ୍ୟବହାର କଲି। କୋଭିଡ-୧୯ର ଚିକିତ୍ସା ଓ ପ୍ରତିରୋଧ ପାଇଁ କୌଣସି ଔଷଧ ସେବନ ' ଯୁକ୍ତରାଷ୍ଟ୍ର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌' ଦ୍ବାରା ଅନୁମୋଦିତ ହୋଇନାହିଁ। ଡାକ୍ତର ଓ ରୋଗୀମାନେ ସିଡିଏସ୍‌ (ସେଣ୍ଟର୍‌ ଫର୍‌ ଡିଜିଜ୍‌) ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବା ଉଚିତ ବୋଲି ମିଚିଗାନ ‌ଷ୍ଟେଟ୍‌ ମେଡିକାଲ ସୋସାଇଟିର ମୁଖପାତ୍ର କେଭିନ୍‌ ମ୍ୟାକ୍‌ଫାଟ୍ରିଜ୍‌ ସ୍ପଷ୍ଟ କରିଥିବା ଡା. ପ୍ରସାଦ କହିଛନ୍ତି।

ନିଜ ସମ୍ପର୍କରେ ଡା. ପ୍ରସାଦ କହିଛନ୍ତି ଯେ, ମାର୍ଚ୍ଚ ୩୧ ବେଳକୁ ସେ ଅସୁସ୍ଥ ମନେକଲେ। ତାଙ୍କୁ ବହୁ ଦୁର୍ବଳ ଲାଗୁଥିଲା, ମୁଣ୍ଡ ସହିତ ସାରାଦେହ ବ୍ୟଥା ହେଉଥିଲା। ଏପ୍ରିଲ୍‌ ୩ରେ ପରୀକ୍ଷା ପରେ କୋଭିଡ୍‌ ଭୂତାଣୁ ଥିବା ଜାଣିବାକୁ ପାଇଥିଲେ। ଏଥିରୁ ଭଲ ହେବା ପାଇଁ ଜିଙ୍କ୍‌ ଓ ହାଇଡ୍ରୋକ୍ଲୋରୋକିନ୍‌ ମିଶ୍ରଣକୁ ବ୍ୟବହାର କଲେ। ଏହାର କିଛିଦିନ ପରେ ସୁସ୍ଥ ହେବାକୁ ଲାଗିଲେ। ଏବଂ, ଏହାର ଶ୍ରେୟ ସେ ଜିଙ୍କ୍‌ ଓ ମ୍ୟାଲେରିଆ ଔଷଧକୁ ଦେବେ ବୋଲି କହିଛନ୍ତି ଡା. ପ୍ରସାଦ।

୯୨ ବର୍ଷର ଜଣେ ବୟସ୍କ ବ୍ୟକ୍ତି କୋଭିଡ୍‌-୧୯କୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନାଜନିତ ପରିସ୍ଥିତିରୁ ମୁକୁଳିବା ପାଇଁ ସଂଘର୍ଷରତ ସାରାବିଶ୍ବ ପାଇଁ ଏକ ଆଶ୍ବସ୍ତିର ବିଷୟ। ତେବେ, ତାଙ୍କ ଦ୍ବାରା ବ୍ୟବହୃତ ଚିକିତ୍ସା ପଦ୍ଧତି ଗବେଷଣାସାପେକ୍ଷ। କାହିଁକି ନା, କରୋନାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ଔଷଧ ବାହାରିନି। ଏବଂ, ଏଥିପାଇଁ ଗବେଷଣା ଆରମ୍ଭ ଯାଇଛି।