ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ଆଶୁତୋଷ ବିଶ୍ବାସ। ଏମ୍ସ ପରିସରରେ ପହଁଚିବା ପରେ ଡାକ୍ତର ବିଶ୍ୱାସ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ, ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଡାକ୍ତର ବିଶ୍ବାସ ଗୁଣବତ୍ତାସମ୍ପନ୍ନ ରୋଗୀ ସେବା, ଶିକ୍ଷା ଏବଂ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ନୂତନ ଅନୁସନ୍ଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।

Advertisment

ଏମ୍ସ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ କରିବାକୁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ ଏହାକୁ ଏକ ମିଶନ ଭାବେ ଗ୍ରହଣ କରିବାକୁ ଡାକ୍ତର ବିଶ୍ୱାସ ଆହ୍ୱାନ କରିଥିଲେ। ନିଜ ମାଟି ଓଡ଼ିଶାର ସେବା କରିବା ପାଇଁ ପ୍ରାୟ ୩୦ ବର୍ଷ ପରେ ତାଙ୍କୁ ଆଶୀର୍ବାଦ ଦେଇଥିବାରୁ ଭଗବାନ ଜଗନ୍ନାଥଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ଡାକ୍ତର ବିଶ୍ୱାସ। ଏମ୍ସ ଭୁବନେଶ୍ୱରର ନୂତନ ଇଡି ଭାବରେ ନିଯୁକ୍ତ ହେବା ପୂର୍ବରୁ ଡାକ୍ତର ବିଶ୍ୱାସ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆଇଜିଏମ୍ଏସ୍), ପାଟନା (ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ) ର ନିର୍ଦ୍ଦେଶକ ତଥା କୁଳପତି ଭାବରେ କାର୍ଯ୍ୟ କରୁଥିଲେ। ଡାକ୍ତର ବିଶ୍ବାସ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କଟକରୁ ଏମବିବିଏସ ଏବଂ ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁରରୁ ପିଜି ସମାପ୍ତ କରିଛନ୍ତି। ଚଳିତ ବର୍ଷ ଆଇଜିଏମ୍ଏସ୍ ପାଟନାରେ ଯୋଗଦେବା ପୂର୍ବରୁ ସେ ଏମ୍ସ ନୂଆଦିଲ୍ଲୀରେ ପ୍ରଫେସର ତଥା ମେଡିସିନ୍ ୟୁନିଟ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ରୋଗୀ ସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିର ଅଭିଜ୍ଞତା ରହିଛି।

ବରିଷ୍ଠ ପ୍ରଶାସନିକ ଅଧିକାରୀ (ଏସଏଓ) ତଥା ଡିଡିଏ(ଇନଚାର୍ଜ) ରଶ୍ମି ରଞ୍ଜନ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡାକ୍ଟର ଏସ ଏନ ମହାନ୍ତି, ଡିନ୍ ଡାକ୍ଟର ଦେବାଶିଷ ହୋତା, ଏସଇ କେ ପି ମିଶ୍ର ଏବଂ ଏଫ୍ଏ ପି କେ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଡିନ, କୁଳସଚିବ ଏବଂ ବିଭାଗୀୟ ମୁଖ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଇଡି ଏହି ଜାତୀୟ ଅନୁଷ୍ଠାନର ସାମଗ୍ରୀକ ବିକାଶ ନିମନ୍ତେ ବିସ୍ତୃତ ଖସଡ଼ା ପ୍ରସ୍ତୁତ ଦିଗରେ ବିଭିନ୍ନ ବିଭାଗର ମୁଖ୍ୟ ତଥା ବରିଷ୍ଠ ପ୍ରଫେସରମାନଙ୍କ ସହିତ ଆଲୋଚନା କରିଥିଲେ।