‘ଓଡ଼ିଆ ସାହିତ୍ୟରେ ଜୟଦେବ’- ଏଇ ନାଁରେ ବହି ଖଣ୍ତେ ପ୍ରକାଶ କରିଥିଲେ କଟକର ଫ୍ରେଣ୍ତସ୍‌ ପବ୍ଳିଶର୍ସ, ଡିସେମ୍ବର ୧୯୭୧ରେ। ଲେଖକ- ଅଧୢାପକ ନଗେନ୍ଦ୍ର ନାଥ ପ୍ରଧାନ। ଏ ବହିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରମାଣ ସହ ସମାଧାନ କରାଯାଇଛି, ତାହା, ‘ଗୀତଗୋବିିନ୍ଦ’ର ରଚୟିତା ଜୟଦେବ ଓଡ଼ିଆ ଭାଷାରେ ଆଦ୍ୟ କବି। ଓଡ଼ିଆ ଭାଷାରେ ‘ଉତ୍କଳ ସାହିତ୍ୟର ଇତିହାସ’ (୧୯୧୬) ଲେଖାଥିବା ତାରଣୀ ଚରଣ ରଥ ଗୁମସର ରାଜା ବଳଭଦ୍ର ଭଞ୍ଜ (ଖ୍ରୀ.ଅ.୧୦୨୭-୫୭ ରାଜତ୍ବ)ଙ୍କୁ ପ୍ରଥମେ ଓଡ଼ିଆରେ ‘ଭାବବତୀ’ କାବ୍ୟ ସ୍ରଷ୍ଟା ବୋଲି ଉଲ୍ଲେଖ କରିଅଛନ୍ତି। କିନ୍ତୁ ଏ କାବ୍ୟ ପ୍ରକାଶିତ/ ପୋଥି ଉପଲବ୍ଧି ହୋଇନଥିବା ସେ ଦର୍ଶାଇଛନ୍ତି। କେହି କେହି ମାର୍କଣ୍ତ ଦାସ ଓ ‘କେଶବ କୋଇଲି’କୁ ଯଥାକ୍ରମେ ଓଡ଼ିଆ ଭାଷା-ସାହିତ୍ୟର ଆଦିକବି ଏବ˚ ଆଦ୍ୟ କବିତା କହିଥାନ୍ତି। କିନ୍ତୁ, ଓଡ଼ିଆ ସାହିତ୍ୟର ଇତିହାସ ରଚୟିତାମାନେ ସମ୍ପ୍ରତି ଗବେଷକମାନଙ୍କ ମତାମତକୁ ଆଖି ଆଗରେ ରଖି ସାରଳା ଦାସଙ୍କୁ ଆଦିକବି ରୂପେ ଚର୍ଚ୍ଚା କରୁଅଛନ୍ତି। ତାଙ୍କ ସମୟ ପଞ୍ଚଦଶ ଶତାବ୍ଦୀ। କିନ୍ତୁ, ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଗବେଷଣା ଲବ୍ଧ ତଥ୍ୟ, ତାଙ୍କରି ଭାଷାରେ ଏହିପରି- ‘ସାରଳା ଦାସଙ୍କ କାଳ ଯେ ନିଃସନ୍ଦେହରେ ନବମ ଶତାବ୍ଦୀର ଉତ୍ତର ଭାଗ ସେ ବିଷୟରେ ଆହୁରି ବହୁତ ଦୃଷ୍ଟିଭଙ୍ଗିରୁ ଆଲୋଚନା କରାଯାଇପାରେ।’ (ଝଙ୍କାର, ଜୁଲାଇ, ୧୯୫୭) ଜଗତସି˚ହପୁର ଜିଲ୍ଲା, ରଘୁନାଥପୁର ବ୍ଳକ, ଗୁଆଳିପୁର ଗ୍ରାମ ପଞ୍ଚାୟତ ଅଧୀନ ବର୍ତ୍ତି-କପାଳେଶ୍ବର ଗାଁ ‘ଗୁରୁଦିଆ’ ଗାଦିରୁ ନଗେନ୍ଦ୍ର ନାଥ ଦୁଇଖଣ୍ତ ଜୀର୍ଣ୍ଣଶୀର୍ଣ୍ଣ ତାଳପତ୍ର ପୋଥି ୧୯୭୦ ମସିହା ଅପ୍ରେଲ ମାସରେ ପାଇଥିଲେ। ତହିଁରୁ ଜୟଦେବଙ୍କ ନାମ ଭଣିତା ଥାଇ ପାଞ୍ଚ ଗୋଟି ଗୀତି କବିତା ସେ ଉଦ୍ଧାର କରିଥିଲେ। ଭାଷା, ପରମ୍ପରା, ଛନ୍ଦ, ଧର୍ମ ଆଦି ଦୃଷ୍ଟିରୁ ବିଚାର କରି ନଗେନ୍ଦ୍ର ନାଥ ଦର୍ଶାଇଥିଲେ- ଗୀତଗୋବିନ୍ଦ ଓ ଓଡ଼ିଆ ଗୀତକବିତା ଲେଖିଥିବା ବ୍ୟକ୍ତି ଜଣେ। ଏ ଧରଣର ଗବେଷକୀ ଅଭିମତ ଅଭ୍ରାନ୍ତ ବା ସର୍ବଶେଷ ବୋଲି ନ ଲେଖି, ପରବର୍ତ୍ତୀ ସମୟରେ ଗବେଷକମାନେ ଏ ସମ୍ବନ୍ଧରେ ଅଧିକ କାମ କରି ଗବେଷଣାର ପ୍ରବାହକୁ ଆଗେଇ ନେବେ ବୋଲି ସୂଚାଇଥିଲେ। କିନ୍ତୁ ଜୟଦେବ (ଖ୍ରୀଷ୍ଟୀୟ ଦ୍ବାଦଶ-ତ୍ରୟୋଦଶ ଶତାବ୍ଦୀ) ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ଆଦ୍ୟ ସ୍ରଷ୍ଟା- ଏ ଘେନି ବିଶେଷ ଗବେଷଣା ହେଲା କେଉଁଠି? ପୁନଶ୍ଚ ସାରଳା ଦାସଙ୍କ ଜନ୍ମ କାଳ ଘେନି ଗୋପୀବାବୁ ଯେଉଁ ମତ ଦେଇଥିଲେ, ତହିଁର ସବିଶେଷ ପରୀକ୍ଷା ପରବର୍ତ୍ତୀ ସମୟରେ ହୋଇଥିବା ଅଥବା ହେଇଥିବା ଦେଖିବାକୁ ମିଳେ ନାହିଁ। ଏହା ହେଉଛି ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଗବେଷଣାର ନିୟତି। ଭାଷା ସାହିତ୍ୟରେ ଗବେଷଣା ଏକ ନିରନ୍ତର ପ୍ରକ୍ରିୟା ଓ ଗବେଷକମାନଙ୍କର ଅବଦାନ ସେମାନଙ୍କ ନାମୋଚ୍ଚାରଣର ଆନୁପୂର୍ବିକ ସର୍ବକାଳୀନ ଚର୍ଚ୍ଚା।

Advertisment

ଜ୍ରୟଦେବ-ଓଡ଼ିଶାର ନା ବଙ୍ଗର ଏ ଘେନି ପାଖାପାଖି ଶହେବର୍ଷ ଓଡ଼ିଶାରେ ଅନେକ ପ୍ରବନ୍ଧ ଲେଖଯାଇଛି। ଆଲୋଚନାଚକ୍ର ହୋଇଛି। ଜଗନ୍ନାଥ ମନ୍ଦିରରେ ପ୍ରତ୍ୟହ ପଠିତ (ଗୀତ) ହେଉଥିବା ‘ଗୀତଗୋବିନ୍ଦ’ର ସ୍ରଷ୍ଟା ଜୟଦେବ ଉତ୍କଳର କବିରାଜ, ଜନ୍ମିଥିଲେ ‘ଜଗନ୍ନାଥ ପୁରୀ ପାନ୍ତେ’, ବ୍ରାହ୍ମଣ ସ˚କୁଳ କିନ୍ଦୁବିଲ୍ବ (କେନ୍ଦୁବିଲ୍ବ) ଗ୍ରାମରେ ଏହା ପ୍ରମାଣ ହୋଇଛି। କିନ୍ତୁ, ଜୟଦେବ ଓଡ଼ିଆ ଭାଷାରେ ଛୋଟ ଛୋଟ କବିତା କେତେଗୋଟି ଲେଖିଥିବା ନଗେନ୍ଦ୍ର ନାଥଙ୍କ ଦୃଷ୍ଟିକୁ ଆସିଛି। ତାହା ପୋଥିରୁ ପ୍ରାପ୍ତ ‘ଗୀତଗୋବିନ୍ଦ’ରେ ପ୍ରଦତ୍ତ ବସନ୍ତଋତୁ ବର୍ଣ୍ଣବା ଓ ରାଧାକୃଷ୍ଣ ମିଳନ ଆଧାରରେ ନଗେନ୍ଦ୍ର ବାବୁ ସେବେଠାରୁ ଓଡ଼ିଶାରେ ବସନ୍ତରାସ ହେଉଥିବା ସୂଚାଇଛନ୍ତି। ଜୟଦେବ ଲେଖିଥିବା ଓଡ଼ିଆ ଗୀତିକବିତାରେ ବସନ୍ତର ମନମତାଣିଆ ବର୍ଣ୍ଣନା ରହିଛି। ରାଧା-କୃଷ୍ଣଙ୍କ ମିଳନ ଅଛି। ସର୍ବୋପରି ଗୀତିକବିତା ଗୁଡ଼ିକର ଭାଷା ବୃହତ୍‌ ଐତିହାସିକ ପ୍ରେକ୍ଷାପଟ୍ଟରୁ ବିଚାର ପୂର୍ବକ, ଜୟଦେବଙ୍କୁ ଓଡ଼ିଆ ଭାଷାର ପ୍ରଥମ କବିରୂପେ ଆଖ୍ୟାତ କରିଅଛନ୍ତି ସେ। ବହିଟିକୁ ଆମୂଳାନ୍ତ ପଢ଼ିବା କାଳରେ ଏ ଲେଖକ ଅନୁଭବ କରିଛି ବୋଧହୁଏ ଅଧିକ କିଛି ପୋଥି ଉପଲବ୍ଧ ନ ହୋଇଥିବାରୁ ଓଡ଼ିଶାରେ ଏ ଘେନି ଚର୍ଚ୍ଚା ଆଗେଇ ପାରିନାହିଁ। ନଚେତ୍‌, ନଗେନ୍ଦ୍ର ବାବୁଙ୍କ ଯୁକ୍ତିଯୁକ୍ତି ଉପସ୍ଥାପନକୁ ବିରୋଧ କରିବା ସହଜ ହୁଏ ନାହିଁ। ପୁନଶ୍ଚ, ଓଡ଼ିଆ ଭାଷା ଅନୁଶୀଳନ କାଳରେ, ଓଡ଼ିଆ ସାହିତ୍ୟର ଐତିହ୍ୟ ବିଚାରିବା ବେଳେ ଦାକ୍ଷିଣାତ୍ୟ ପରମ୍ପରା ଅଧିକ ସାହାଯ୍ୟପ୍ରଦ ବୋଲି ଗବେଷକ ନଗେନ୍ଦ୍ର ନାଥ ଦର୍ଶାଇଛନ୍ତି। ତେବେ, କେବଳ ଭାଷାତାତ୍ତ୍ବିକ ବିଚାର ବିବେଚନାରେ ‘ଗୀତଗୋବିନ୍ଦ’ ଲେଖିଥିବା ଜୟଦେବ ଓଡ଼ିଆ ଗୀତ କବିତାଗୁଡ଼ିକ ଲେଖିଥିବା; ସେ ପ୍ରମାଣ କରିଅଛନ୍ତି।
ସମ୍ପ୍ରତି ନଗେନ୍ଦ୍ର ନାଥ ପ୍ରଧାନ ସ୍ବର୍ଗତ। ତାଙ୍କ ଗବେଷଣା ଗ୍ରନ୍ଥ ‘ଓଡ଼ିଆ ସାହିତ୍ୟରେ ଜୟଦେବ’ ପ୍ରକାଶନ ମସିହା ଦୃଷ୍ଟିରୁ ପାଖାପାଖି ପଚାଶବର୍ଷରେ ପହଞ୍ଚିଛି। ଓଡ଼ିଆ-ଏକ ପ୍ରାଚୀନ ଭାଷା। ଭାରତ ସରକାରଙ୍କ ଦ୍ବାରା ଶାସ୍ତ୍ରୀୟ ଭାଷାର ମାନ୍ୟତାପ୍ରାପ୍ତ ଭାଷା-ଓଡ଼ିଆ ଭାଷା। ଏହି ଭାଷାରେ କାବ୍ୟ-କବିତା ଅଥବା ପୁରାଣ ଲେଖାଯିବାର ପରମ୍ପରା କେବେଠାରୁ- ଏ ଘେନି ବିସ୍ତୃତ ଚର୍ଚ୍ଚା ହେବାର କାଳ ୟେ। କିନ୍ତୁ ଏ ପାଇଁ ପୋଥି, ପୋଥି ପାଠ ଶିକ୍ଷା ଓ ତାହାକୁ ବୁଝିପାରିବା ଭଳି ଗବେଷକୀ ମିଞ୍ଜାସର ବ୍ୟକ୍ତିତ୍ବମାନଙ୍କ ଆବଶ୍ୟକତା ରହିଛି। ବୋଧହୁଏ, ନଗେନ୍ଦ୍ର ନାଥ ପ୍ରଧାନଙ୍କ ମହାପ୍ରୟାଣର ସାମ୍ବତ୍ସରକୀ ତାରିଖ (୨୬.୬.୨୦୧୯) ବେଳକୁ ବେଶି ମାତ୍ରାରେ ମନେପଡ଼ୁଛି ତାଙ୍କ କୃତ ଅବିସ୍ମରଣୀୟ ଗବେଷଣା କୃତି ‘ଓଡ଼ିଆ ସାହିତ୍ୟରେ ଜୟଦେବ’। ତାଙ୍କ ଦୃଷ୍ଟିର ସମତାନିକ ଧ୍ବନି ଶୁଭୁଛି କବି ସୂର୍ଯ୍ୟ ବଳଦେବ ରଥଙ୍କ ଚନ୍ଦ୍ରକଳା କାବ୍ୟରୁ। ଯୁବତୀ ଚନ୍ଦ୍ରକଳା ପଢେ଼- ‘ଜୟଦେବ କୃତି ଗଜେନ୍ଦ୍ର ବିପତ୍ତି ମୋକ୍ଷଣ ଗୋପାଙ୍ଗନା ଗୀତା। ଅର୍ଥାତ୍‌ ଗୀତଗୋବିନ୍ଦ, ଗଜ ଉଦ୍ଧାରଣ ସ୍ତବ, ଭାଗବତର ରାସ ପଞ୍ଚାଧୢାୟୀ। ତାମିଲ ଭାଷାରେ ଲିଖିତ ଆରୁଆମନ୍ଦାର ସ୍ତୋତ୍ର କି ପଢେ଼। ଓଡ଼ିଆ ଭାଷାରେ ଗୀତଗୋବିନ୍ଦର ଅନୁବାଦ ସ˚ଖ୍ୟା ଦେଖିଲେ, ଧାରଣା ହୁଏ, ଜୟଦେବଙ୍କ ସମୟକୁ ଓଡ଼ିଆ ଭାଷାରେ ସାହିତ୍ୟ ଲେଖା ହୋଇଥିବ।
ବି/୪୯,ସେକ୍ଟର-୮, ସିଡ଼ିଏ, କଟକ-୧୪
ମୋ–୯୪୩୭୩୧୯୯୧୪