ସମ୍ବଲପୁର : ସହରର ଜଣାଶୁଣା ବରିଷ୍ଠ ଡାକ୍ତର ଭାଗିରଥୀ ପଣ୍ଡାଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡାକ୍ତର ପଣ୍ଡା ଗତ ୮ ମାର୍ଚ୍ଚ ୧୯୪୨ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଲରମ୍ଭା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ନିମନ୍ତେ ଅଂଚଳରେ ଜଣେ ଜନପ୍ରିୟ ଡାକ୍ତର ଥିଲେ। ତାଙ୍କର ଜନସେବା, ଶୃଙ୍ଖଳିତ ଜୀବନଶୈଳୀ ଓ ଶାନ୍ତ ସ୍ବଭାବ ପାଇଁ ପରିଚିତ ଥିଲେ। କୋଭିଡ ସମୟରେ ନିରବଚ୍ଛିନ୍ନ ସେବା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇଥିଲେ।
ଆଜି ଅପରାହ୍ଣ ୨ଟା ସମ୍ବଲପୁର ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ସେ ତାଙ୍କ ପଛରେ ପତ୍ନୀ ପୁଷ୍ପା ପଣ୍ଡା, ଦୁଇ ପୁଅ ଶୁଭାଂଶୁ ଓ ସୀତାଂଶୁ, ଦୁଇ ଝିଅ ସୁଜାତା ଓ ଲୀନାଙ୍କ ସମେତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି।