ଖୋର୍ଦ୍ଧା : ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ଖୋର୍ଦ୍ଧା ଅଞ୍ଚଳର ସେବାର ପୂଜାରୀ ଡା. ବିମଳ କୁମାର ରଥଙ୍କର ଆଜି ରାତି ୮ଟାରେ ବେଙ୍ଗାଲୁରୁଠାରେ ପରଲୋକ ଘଟିଛି। ସ୍ବର୍ଗତ ରଥଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ୨୦୧୯ ମସିହା ଜାନୁଆରି ମାସରେ ଡା. ରଥ ଗଳାରେ ପୀଡ଼ା ଅନୁଭବ କରିଥିଲେ। ପରୀକ୍ଷଣରୁ ତାହା କର୍କଟ ରୋଗ ହୋଇଥିବା ଜଣାପଡ଼ିବା ପରେ ସେ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରଠାରେ ରହୁଥିବା ତାଙ୍କ ବଡ଼ ଝିଅ ଓ ଜ୍ବାଇଁଙ୍କ ପାଖକୁ ଯାଇଥିଲେ। ସେଠାରେ ନିଜ ଝିଅଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ସମଗ୍ର ଖୋର୍ଦ୍ଧା ସହରରେ ଶୋକ ଖେଳିଯାଇଛି।

Advertisment

ଜଣେ ପରୋପକାରୀ ଡାକ୍ତର ଭାବେ ଡା. ରଥଙ୍କର ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ରହିଥିଲା। ବହୁ ଲୋକଙ୍କୁ ବିନା ଅର୍ଥରେ ଚିକିତ୍ସା କରିବା ସହିତ ଗରିବ ଲୋକମାନଙ୍କୁ ନିଜସ୍ବ ଅର୍ଥରେ ଔଷଧ ପ୍ରଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ସେ ଦୀର୍ଘଦିନ ଧରି ‘ଆମ ଓଡ଼ିଶା’ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଡା. ରଥଙ୍କ ଅସୁସ୍ଥତା ସୂଚନା ପାଇ ଗତ କିଛି ଦିନ ତଳେ ଖୋର୍ଦ୍ଧାର ବରିଷ୍ଠ ନାଗରିକମାନେ ଶ୍ରୀ ଧବଳେଶ୍ବର ମନ୍ଦିରରେ ସମୂହ ଦୀପଦାନ କରିଥିଲେ। ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ।

ଡା. ରଥ ୧୯୫୭ ମସିହା ଫେବ୍ରୁଆରି ମାସ ୨୭ ତାରିଖରେ କଟକ ଜିଲ୍ଲା ବାଙ୍କି ନିକଟସ୍ଥ ସାମନ୍ତରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ହଳିଦିଆ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଡାକ୍ତରୀ ପଢ଼ା ଶେଷ କରିବା ପରେ ଖୋର୍ଦ୍ଧା ଜିଲ୍ଲା ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଭାବେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, କେରଙ୍ଗ, ଖୋର୍ଦ୍ଧା, ମଳିପଡ଼ା, ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥିଲେ। ବୋତଳମା ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିବା ବେଳେ ତାଙ୍କର ନିଷ୍ଠାପର ସେବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୦୮ରେ ସେ ବୃତ୍ତିଗତ ଜୀବନରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇ ରୋଗୀ ସେବା ଓ ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ସମ୍ପୂର୍ଣ୍ଣ ରୂପେ ନିଜକୁ ଉତ୍ସର୍ଗ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାପନ, ଖୋର୍ଦ୍ଧା ଜିଲ୍ଲା ଗଠନ, ମଳିପଡ଼ା କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ କଲେଜ ସ୍ଥାପନ, ଗଡ଼ବାଣୀକିଲୋ ମହାବିଦ୍ୟାଳୟ, ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନ ସ୍ଥାପନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ସମ୍ବାଦ-ଆମ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଆବାହକ ଭାବେ ରହି ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଥିଲେ। ଏହା ସହ ଜାନକୀ ବଲ୍ଲଭ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ସୂଚନାଯୋଗ୍ୟ, ଗତ ୧୫ ଦିନ ତଳେ ଡା. ରଥଙ୍କ ବାପା ଅନ୍ତର୍ଯାମୀ ରଥଙ୍କର ପରଲୋକ ଘଟିଥିଲାବେଳେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ଡାକ୍ତର ରଥଙ୍କ ପତ୍ନୀ, ଦୁଇଝିଅ ଓ ଜ୍ବାଇଁଙ୍କ ଅଛନ୍ତି। ସାନ ଜ୍ବାଇଁ ଅତିରିକ୍ତ ଜିଲ୍ଲା ଜଜ୍ ଓ ବଡ଼ ଜ୍ବାଇଁ ବାଙ୍ଗାଲୁରୁରେ ଇଞ୍ଜିନିୟର ଭାବେ କାର୍ଯ୍ୟକରୁଛନ୍ତି।

ସୌମ୍ୟରଞ୍ଜନଙ୍କ ଶୋକ
ଡା. ବିମଳ ରଥଙ୍କ ବିୟୋଗରେ ‘ସମ୍ବାଦ’ ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଡା. ରଥଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ସେ ମୋର ଜଣେ ପରମ ହିତୈଷୀ, ଶୁଭେଚ୍ଛୁ ଓ ଘନିଷ୍ଠ ବନ୍ଧୁ ଥିଲେ। ସେ ମଧ୍ୟ ‘ସମ୍ବାଦ-ଆମ ଓଡ଼ିଶା’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଓ ପୃଷ୍ଠପୋଷକ ଥିଲେ। ‘ଆମ ଓଡ଼ିଶା’ ଜିଲ୍ଲା ଆବାହକ ଦାୟିତ୍ୱରେ ରହି ବହୁ କାର୍ଯ୍ୟ କରିଥିଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଈଶ୍ବର ଏପରି ଦୁଃଖ ସମୟରେ ତାଙ୍କ ପରିବାରକୁ ସାହସ ଓ ଶକ୍ତି ଦେବାକୁ ପ୍ରାର୍ଥନା କରୁଛି।