ଜୟପୁର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଳୀର  ଇଣ୍ଡିଆ ଗେଟ ନିକଟ  କର୍ତ୍ତବ୍ୟପଥରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଜୟପୁରର ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସେ ଏଭଳି ନୃତ୍ୟ ପରିବେଷଣ କରି ଜିଲ୍ଲାକୁ ଗୌରାବାନ୍ବିତ କରିଛନ୍ତି।

Advertisment

ସର୍ବପ୍ରଥମେ ମା’ ଦୁର୍ଗାଙ୍କ ଉପରେ ଆଧାରିତ 'ନବ ଦୁର୍ଗା, ଓଡିଶୀ ନୃତ୍ୟ ପରିବେଷଣ କରି କର୍ତ୍ତବ୍ୟପଥକୁ ସ୍ୱାଗତ କରିଥିଲେ। ପରେ ରବୀନ୍ଦ୍ର ନାଥ ଟାଗୋରଙ୍କ ରଚିତ ସଙ୍ଗୀତ ଉପରେ  ନୃତ୍ୟ ପରିବେଷଣ କରି ପର୍ଯ୍ୟଟକମାନଙ୍କୁ ବେଶ ବିମୁଗ୍ଧ କରିଥଲେ। କାର୍ଯ୍ୟକ୍ରମରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମାନେ ଯୋଗ ଦେଇ ନୃତ୍ୟକୁ ଉପଭୋଗ କରିଥିଲେ। ଡ. ରାଉଳଙ୍କ ଅଭୂତପୂର୍ବ ଓଡ଼ିଶୀ ନୃତ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ।

ବାସ୍ତବରେ ଭାରତୀୟ ତଥା ଓଡ଼ିଆ କଳା ସଂସ୍କୃତି, ଐତିହ୍ୟ ଓ ପରମ୍ପରା କେତେ ଯେ ମହାନ ଏବଂ ସେଥିରେ କେତେ ମାଧୁର୍ଯ୍ୟ ଭରି ରହିଛି ଏହି ଓଡିଶୀ ନୃତ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପର୍ଯ୍ୟଟକମାନେ ମତ ଦେଇଥିଲେ। ଦିଲ୍ଲୀ ସେଣ୍ଟ୍ରାଲ ଭିଷ୍ଟା ଇଣ୍ଡିଆ ଗେଟ ନିକଟ ରାଜପଥ ଜରାଜୀର୍ଣ୍ଣ ହୋଇଯାଉଥିବା ବେଳେ ତାକୁ ପୁନର୍ଜୀବିତ କରି ରାଜପଥକୁ କର୍ତ୍ତବ୍ୟପଥ ନାମରେ ନାମିତ କରିଥିବାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ଐତିହାସିକ ପଦକ୍ଷେପ ପାଇଁ ନୃତ୍ୟାଙ୍ଗନା ଡ. ରାଉଳ ବିଶେଷ ଧନ୍ୟବାଦ ଦେଇଥିଲେ।

କର୍ତ୍ତବ୍ୟପଥ ଭଳି ଏକ ପଥରେ ସେ ନୃତ୍ୟ ପରିବେଷଣ କରି ଓଡିଶୀ ନୃତ୍ୟାଙ୍ଗନା ଭାବେ ଓଡ଼ିଆ ତଥା ଭାରତୀୟ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ଦେଶ ତଥା ଓଡ଼ିଆ ଜାତି ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ରହିଛି, ସେ ଏହାକୁ କେବେ ଭୁଲିବେ ନାଁହି। ଏହି ଦିନ ତାଙ୍କ ପାଇଁ ଅବିସ୍ମରଣୀୟ ଏବଂ ଜୀବନ ତାଙ୍କର ଧନ୍ୟ ହୋଇଛି ବୋଲି କହିଛନ୍ତି ଡ.ରାଉଳ। ଡକ୍ଟର ଚନ୍ଦନା ହେଉଛନ୍ତି  ଜୟପୁର ନିବାସୀ ବିଲଡର ରଘୁନାଥ ରାଉଳ ଏବଂ ବରିଷ୍ଠ ବିଜେଡି ନେତା ରମାକାନ୍ତ ରାଉଳ, ସାମ୍ବାଦିକା ଜ୍ୟୋତ୍ସ୍ନା ରାଉଳଙ୍କ ଭଉଣୀ।