ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସ୍ଥାନରେ ଡାକ୍ତର ଚେଲ୍ଲା କୁମାରଙ୍କୁ ନିଯୁକ୍ତି ଦେଇଛି ଏଆଇସିସି। ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ୱ ପାଇଥିଲେ ଜିତେନ୍ଦ୍ର ସିଂ । ହେଲେ ସେହି ସମୟରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିବା ପରିବର୍ତ୍ତେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଆଉ ଏହାପରେ କଂଗ୍ରେସ ଏହାର ପ୍ରଭାରୀଙ୍କୁ ବଦଳାଇ ଦେଇଛି। ଏବେ ନଜର ପ୍ରଭାରୀ ବଦଳିବା ସହ ରାଜ୍ୟ ସଂଗଠନରେ କିଛି ପରିବର୍ତ୍ତନ ହେବ ନା ନାହିଁ।
ବଡ କଥା ହେଉଛି, ଖାଲି ଓଡିଶା ସଂଗଠନ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି କଂଗ୍ରେସ। କିଛି ବରିଷ୍ଠ ନେତାଙ୍କୁ ଦଳର ବିଭିନ୍ନ କମିଟିରୁ ବାଦ ଦିଆଯାଇଥିବା ବେଳେ କଂଗ୍ରେସର ସବୁଠାରୁ ବଡ ନୀତି ନିର୍ଦ୍ଧାରଣ କରୁଥିବା ସିଡବ୍ଲ୍ୟୁସିରେ ମଧ୍ୟ ଅଣାଯାଇଛି ବ୍ୟାପକ ପରିବର୍ତ୍ତନ। ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ଦୁଇଟି ଦିଗ ହେଲା, କମିଟିରୁ ରାମଚନ୍ଦ୍ର ଖୁଂଟିଆଙ୍କୁ ବାଦ ଦିଆଯାଇଥିବା ବେଳେ କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ରଖାଯାଇଛି।
ସେହିଭଳି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ମିଜୋରାମ ଏବଂ ମଣିପୁର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଗତ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଯେତେବେଳେ ଓଡିଶା ରାଜନୀତିର ଇତିହାସରେ ପ୍ରଥମ ଥର ପାଇଁ ଦଳ ତିନି ନମ୍ବର ସ୍ଥାନକୁ ଖସିଥିଲା। ପଂଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ହଟାଇ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀଦଳ ଆସନରେ ବସିଥିଲା। ଯାହା କଂଗ୍ରେସର ସାଂଗଠନିକ ସ୍ତରରେ ଥିବା ଦୂର୍ବଳତାକୁ ପଦାରେ ପକାଇଥିଲା।
ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଚେଲ୍ଲାକୁମାର କିଭଳି ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିବେ ? ସଂଗଠନକୁ ମଜଭୁତ କରିବା ପାଇଁ କଣ ରଣନୀତି ଆପଣାଇବେ? ଅସଂଗଠିତ ହୋଇ ରହିଥିବା ପିସିସିକୁ ସୁଧାରିବାକୁ କ’ଣ ପଦକ୍ଷେପ ନେବେ? କିଭଳି ଆଗାମୀ ଆହ୍ଵାନ ପଂଚାୟତ ତଥା ପୌର ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/congress-2.jpg)
