ସମ୍ବଲପୁର : ଗୁରୁବାର ମଧ୍ୟାହ୍ନ ୧୨ଟା ୧୫ରେ ଜଣାଶୁଣା ସମାଜସେବୀ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଦୀପ୍ତିବାଳା ପଟ୍ଟନାୟକଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି।

Advertisment

୧୯୩୯ ମସିହାରେ କଟକର କଲ୍ୟାଣପୁରରେ ଜନ୍ମିତ ଦୀପ୍ତିବାଳାଙ୍କ କର୍ମଭୂମି ଥିଲା ସମ୍ବଲପୁର। ସ୍ବାସ୍ଥ୍ୟସେବାରୁ ଅବସର ନେବା ପରେ ସମ୍ବଲପୁରର ବିଭିନ୍ନ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସେବା ଅନୁଷ୍ଠାନ ସହିତ ଜଡ଼ିତ ରହି ଗରିବ, ଅସହାୟ ଓ ଅବହେଳିତମାନଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗକରି ଦେଇଥିଲେ। ନାରୀ ସଶକ୍ତୀକରଣ କ୍ଷେତ୍ରରେ ବି ତାଙ୍କର ବେଶ୍ ଅବଦାନ ରହିଥିଲା। ୧୯୬୧ ଏସ୍‌ବିସି‌ ମେଡିକାଲ କଲେଜରେ ଶିକ୍ଷା ସମାପ୍ତି ପରେ ବ୍ରଜରାଜନଗର ଇଏସ୍‌ଆଇ ହସ୍ପିଟାଲରେ ଯୋଗଦାନ କରିଥିଲେ। ପୂର୍ବତନ ସାଂସଦ ପତିତ ପାବନ ପ୍ରଧାନଙ୍କୁ ସେ ବିବାହ କରିଥିଲେ। ବଜ୍ରରାଜନଗରେ ଦୁଇ ବର୍ଷ ଚାକିରି କରିବା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗ ଦେଇ ୧୯୭୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏହା ପରେ ଟିଟିଲାଗଡ଼ ଓ ବଲାଂଗୀର ଡାକ୍ତରଖାନାରେ କିଛି ସମୟ କାମ କରିଥିଲେ। ପରେ ଜନସ୍ବାସ୍ଥ୍ୟ(ଡିପିଏଚ୍‌) ଉପରେ ଅଧ୍ୟୟନ ପାଇଁ କୋଲକାତା ଯାଇଥିଲେ। କୋଲକାତାରୁ ଫେରିବା ପରେ ସେ ପୁଣି ଥରେ ସମ୍ବଲପୁର ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ସିଡିଏମ୍‌ଓ ଭାବେ ସୁଚାରୁ ରୂପେ ଦାୟିତ୍ବ ତୁଳାଇବା ପରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଇଥିଲେ। ୧୯୯୭ ମସିହାରେ ଚାକିରିରୁ ଅବସର ନେବା ପରେ ସେହିବର୍ଷ ଡେନ୍‌ମାର୍କ ସରକାରଙ୍କ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବେ ସମ୍ବଲପୁରରେ ଯୋଗଦେଇ ୨୦୦୧ ମସିହାରେ ଅବସର ନେଇଥିଲେ।

ଚାକିରି ଜୀବନ ପରେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସମ୍ବଲପୁର ଜିଲ୍ଲା ରେଡକ୍ରସ ସୋସାଇଟିର ଉପାଧ୍ୟକ୍ଷା, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବେ ବହୁ ବର୍ଷ ଦାୟିତ୍ବ ନିର୍ବାହ କରିବ‌ା ସହିତ ବିଭିନ୍ନ ଅନାଥଶ୍ରମଙ୍କୁ ବି ନିୟମିତ ସାହାଯ୍ୟ ସହଯୋଗ କରି ଆସୁଥିଲେ। ତେବେ, ସେ ଅସୁସ୍ଥତା ଅନୁଭବ କରିବା ପରେ ଭୁବନେଶ୍ବରରେ ତାଙ୍କ ଝିଅଙ୍କ ପାଖରେ ରହୁଥିଲେ। ଦୀପ୍ତିବାଳା ତାଙ୍କ ପଛରେ ୪ ଝିଅ ତନ୍ମୟା, ମାମି, ମିତା ଓ ମାମାଲିଙ୍କୁ ଛାଡ଼ି ଯାଇଛନ୍ତି। ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ଜ୍ବାଇଁ ସନ୍ତୋଷ ପ୍ରଧାନ ମୁଖାଗ୍ନି ଦେଇଥିଲେ।