ଫୁଲଝରଣ ବାଳାଶ୍ରମକୁ ୨ ବର୍ଷ ଧରି ଅନୁଦାନ ବନ୍ଦ, ସହାୟତା ଅପେକ୍ଷାରେ ୪୦ ଅନାଥ

ସମ୍ବଲପୁର : ବାପା-ମା ଛେଉଣ୍ଡ ୪୦ ଶିଶୁଙ୍କ ପ୍ରତି ଅବିଚାର କରୁଛି ଖୋଦ୍‌ ରାଜ୍ୟ ମହିଳା-ଶିଶୁ କଲ୍ୟାଣ ବିଭାଗ। ସ୍ଥିତି ଏଭଳି ହୋଇଛି ଯେ, ପିଲାଙ୍କ ପେଟରେ ଦାନା ଦେବା ଠାରୁ ବହି କିଣିବା ପର୍ଯ୍ୟନ୍ତ ପ୍ରତ୍ୟେକ ଆବଶ୍ୟକତା ପାଇଁ ହାତ ପତାଇବାକୁ ପଡ଼ୁଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ୨୦୧୭ ଏବଂ ୨୦୧୮ର ଅନୁଦାନ ପ୍ରଦାନ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ବିଭାଗ ଅଧିକାରୀଙ୍କୁ ମାର୍ଚ ମାସରୁ ଚିଠି ଲେଖିଥିଲେ ହେଁ ଏହାକୁ ମଧ୍ୟ ଗୁରୁତ୍ବ ଦିଆଯାଇନାହିଁ।

ପଦ୍ମଶ୍ରୀ ଡ.ଆଇଜାକ ସାନ୍ତ୍ରାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଛି ଫୁଲଝରଣ ବାଳାଶ୍ରମ। ୨୦୧୯ ଶିକ୍ଷା ବର୍ଷରେ ୪ ଜଣ ଅନ୍ତେବାସୀ କଲେଜରେ ନାମ ଲେଖାଇଛନ୍ତି। ଟଙ୍କା ନିଅଣ୍ଟ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ବହି କିଣାଯାଇ ପାରିନାହିଁ। ଅନ୍ୟର ସହାୟତାକୁ ଅପେକ୍ଷା କରିଛନ୍ତି ଆଶ୍ରମ ଅନ୍ତେବାସୀ। କେବଳ ଏତିକି ନୁହେଁ ଡାଲି, ଚାଉଳ ଠାରୁ ଆରମ୍ଭ କରି ଔଷଧ, ପୋଷାକ ସକାଶେ ମାସିକକୁ ଖର୍ଚ୍ଚ ହେଉଥିବା ୮୬ ହଜାର ୪୦୦ ଟଙ୍କା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି।

୨୦୧୭ ମସିହାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଅନୁଦାନ ଟଙ୍କା ବନ୍ଦ ନମିଳିଲେ ଆଗାମୀ ଦିନରେ ଏଠାକର ଅନ୍ତେବାସୀଙ୍କ ଅବସ୍ଥା ଜଟିଳ ହେବ। ଅନ୍ୟଦିଗରେ ଯେଉଁଠି ସରକାରଙ୍କ ପକ୍ଷରୁ ପ୍ରତି ଅନ୍ତେବାସୀଙ୍କ ପିଛା ୨୪ ଶହ ଟଙ୍କାର ବ୍ୟବସ୍ଥା ରହିଛି, ସେଠି ଏହି ଆଶ୍ରମକୁ କାହିଁକି ଅନ୍ୟ ଉପରେ ନିର୍ଭର ହେବାକୁ ପଡ଼ିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରୁ ପ୍ରତି ବର୍ଷ କିସ୍ତି ହିସାବରେ ୩ ଥର ଅନୁଦାନ ଆସୁଥିବାବେଳେ ହଠାତ୍ ଏହା ବନ୍ଦ ହେବା ଯୋଗୁଁ ପରିଚାଳନା କମିଟି ପାଇଁ ସ୍ଥିତି ମୁକାବିଲା କରିବା କଷ୍ଟକର ହୋଇ ପଡ଼ିଛି। ସୂଚନା ଅନୁଯାୟୀ, ହାତୀବାଡ଼ି ସ୍ଥିତ କୁଷ୍ଠରୋଗୀଙ୍କ ଶିଶୁଙ୍କ ଯତ୍ନ ପାଇଁ ୧୯୭୯ରେ ଫୁଲଝରଣରେ ଡ.ଆଇଜାକ ସାନ୍ତ୍ରା ପ୍ରତିଷ୍ଠା କରିଥିଲେ ଏହି ବାଳାଶ୍ରମ। ତାଙ୍କରି ଇଚ୍ଛାକ୍ରମେ ପାର୍ବତୀ ଗିରିଙ୍କ ବରଗଡ଼ ସ୍ଥିତ କସ୍ତୁରବା ଗାନ୍ଧି ମାତୃନିକେତନକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଅନୁଦାନ ମୁଖ୍ୟତଃ କସ୍ତୁରବା ଗାନ୍ଧି ମାତୃନିକେତନକୁ ଆସୁଥିଲା, ଏହି ଅର୍ଥ ଡ.ଆଇଜାକ ସାନ୍ତ୍ରା ବାଲନିକେତନକୁ ଦିଆଯାଉ ଥିଲା। ଉଭୟ ବାଳାଶ୍ରମର ପରିଚାଳନା କମିଟି ମଧ୍ୟ ଗୋଟିଏ ଥିଲା। ତେବେ, ଗୋଟିଏ ଜିଲ୍ଲାର ବାଳାଶ୍ରମ ଅନୁଦାନ ଅନ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବାରୁ ଏହାର ତଦାରଖ ଦିଗରେ ପ୍ରଶାସନିକ ଜଟିଳତା ସୃଷ୍ଟି ହୋଇଥିଲା।

ରାଜ୍ୟ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶ ଅନୁସାରେ ଉଭୟ ଆଶ୍ରମର ପରିଚାଳନା କମିଟିକୁ ଭିନ୍ନ କରାଯାଇଛି। ଏହା ସତ୍ତ୍ବେ ୨ ବର୍ଷ ହେଲା ପର୍ଯ୍ୟନ୍ତ ଫୁଲଝରଣ ଆଶ୍ରମକୁ ସମ୍ବଲପୁର କିମ୍ବା ବରଗଡ଼ ଜିଲ୍ଲା ପ୍ରଶାସନ ଜରିଆରେ ଅନୁଦାନ ଆସିନାହିଁ।

ଏ ସଂପର୍କରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଗୀତାରାଣୀ ପଟନାୟକଙ୍କୁ ପଚାରିବାରୁ ଅନୁଦାନ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର