ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମନଜିତ ସିଂଙ୍କ ଦେହାନ୍ତ

ଜୟପୁର : ସହରରେ ଅତି ପରିଚିତ ଡାକ୍ତର ମନଜିତ ସିଂ(୭୭)ଙ୍କର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସହରର ସବୁ ବର୍ଗରେ ପରିଚିତ ଥିବା ଏହି ଡାକ୍ତରଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ପ୍ରଥମେ ସହରର ରଜାନଅର ଅଂଚଳରେ ସେ ଘରୋଇ କ୍ଲିନିକ କରିଥିଲେ। ପରେ ସେ ସିନେମା ସାହି ସମ୍ମୁଖରେ ଥିବା ନିଜ ବାସଭବନରେ କ୍ଲିନିକ କରି ରୋଗୀ ଚିକିତ୍ସା କରି ଆସୁଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ଜନ୍ମ ଜୟପୁରରେ ହୋଇଥିବା ବେଳେ ସେ ସ୍ଥାନୀୟ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ (ବର୍ତ୍ତମାନର ସରକାରୀ ଉଚ୍ଚ ବିଦ୍ୟାଳୟ)ରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ୧୯୬୧ ଓ ୧୯୬୨ମସିହାରେ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ିବା ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଦ୍ବିତୀୟ ବ୍ୟାଚର ଡାକ୍ତରୀ ଛାତ୍ର ଭାବେ ପଢ଼ିଥିଲେ। ୧୯୭୧-୭୨ ମସିହାରେ ଡାକ୍ତରୀ ପାସ୍ କରିବା ପରେ ସେ ଜୟପୁରରେ ବୃତ୍ତି ଆରମ୍ଭ କରିଥିଲେ। ନିଜ ଗାଁ, ସହର ଓ ଜିଲ୍ଲାକୁ ସେ ଛାଡି ପାରି ନଥିଲେ। ବାହାରକୁ ନ ଯାଇ ଜୟପୁରରେ ସେ ରୋଗୀ ଚିକିତ୍ସା କରି ଆସୁଥିଲେ। ସେ ସମୟରେ ଜୟପୁରରେ ସ୍ବାସ୍ଥ୍ୟ ସେବା ଭଲ ନଥିବାରୁ ସେ ଏଠାରେ ସେବା ଯୋଗାଇବା ଲକ୍ଷ୍ୟରେ ରହିଥିଲେ। ଗରିବ ରୋଗୀଙ୍କ ସେବା ତାଙ୍କ ପାଇଁ ପ୍ରାଥମିକ ଲକ୍ଷ୍ୟ ଥିଲା। ଆଜି ତାଙ୍କ ମରଶରୀର ଜୟପୁରରେ ପହଚିଂବା ପରେ ବିଭିନ୍ନ ବର୍ଗର ଲେକେ ତାଙ୍କ ଶେଷ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର