ମନୋରମା ମହାପାତ୍ରଙ୍କ ପରଲୋକ

କଟକ : ପ୍ରଖ୍ୟାତ ସାହିତ୍ୟିକ, କବୟିତ୍ରୀ, ସାମ୍ବାଦିକ, ଶିକ୍ଷାବିତ ତଥା ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ର (୮୭)ଙ୍କର ପରଲୋକ ଘଟିଛି। ଶନିବାର ଅପରାହ୍‌ଣ ୫ଟା ୪୫ ସମୟରେ ସେ ଏସ୍‌ସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଶନିବାର ଅପରାହ୍‌ଣରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପରଲୋକ ପରେ ତାଙ୍କ ମରଶରୀରକୁ କନିକାଛକସ୍ଥିତ ବାସଭବନରେ ରଖାଯାଇଛି। ତାଙ୍କ ପୁଅ ଓ ଝିଅମାନେ ବିଦେଶରେ ରହୁଛନ୍ତି। ସେମାନେ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ସମାଜର ପୂର୍ବତନ ସଂପାଦକ ସ୍ବର୍ଗତ ଡକ୍ଟର ପଦ୍ମଭୂଷଣ ରାଧାନାଥ ରଥଙ୍କ କନ୍ୟା ମନୋରମା ମହାପାତ୍ର ୧୯୩୪ ମସିହା ଜୁନ୍‌ ୧୦ ତାରିଖରେ କଟକ ଜିଲ୍ଲା ଆଠଗଡ଼ରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କଟକ ଆସି ରେଭେନ୍‌ସା ବାଳିକା ହାଇସ୍କୁଲରେ ସ୍କୁଲ ଶିକ୍ଷା କରିଥିଲେ। କଟକରେ ରହିବା ସମୟରେ ସେ ର‌ମାଦେବୀ, ସରଳା ଦେବୀ, ଆଚାର୍ଯ୍ୟ ହରିହର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସି ଖଦଡ଼ ପରିଧାନ କରୁଥିଲେ। ରମାଦେବୀଙ୍କଠାରୁ ସେ ଅରଟରେ ସୂତା କାଟିବା ଶିଖିଥିଲେ। ୧୯୫୦ରେ ସେ ଭାରତୀୟ ‌ବନସେବା ଅଧିକାରୀ ପଦାରବିନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ। ତାଙ୍କ ସାରସ୍ବତ କୃତି ମଧ୍ୟରେ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀଶ୍ବର, ବୈଦେହୀ ବିସର୍ଜିତା, ସ୍ମୃତିଚନ୍ଦନ, ଆମେ ସବୁ ନୀରବ ଦର୍ଶକ ସ୍ବତନ୍ତ୍ର ସ୍ବାକ୍ଷର ବହନ କରେ। ଏହାବ୍ୟତୀତ ଗଳ୍ପସଂକଳନ ଏ ପୃଥିବୀ ଶରଶଯ୍ୟା, କ୍ଷୁଦ୍ରଗଳ୍ପ ବନ୍ଦ ଘରର କବାଟ, ଅନୁଦିତ ଉପନ୍ୟାସ ରତ୍ନଦ୍ୱୀପ ଶିଶୁଗଳ୍ପ ବଣ ରାଇଜର କଥା, ସମସାମୟିକ ଋଷୀୟ କବିତା, ହୀନ୍ଦି ଗଳ୍ପ ସଂକଳନ ‘ବନ୍ଦ ଘର୍‌କୀ କବାଟ’ , ଗଳ୍ପ ସଂକଳନ ଉତ୍ତରା ନିରୁତ୍ତରା, ଶିଶୁକଥା ଗୋମୁଖ ଯାତ୍ରା, ଆଈମାଙ୍କ ବିଜ୍ଞାନମୁଣି, ଶିଶୁକବିତା ଆମରି ଭାରତମାତା, ଶିଶୁକଥା ବିରାଡ଼ିମାନଙ୍କ ଅନଶନ ଆଦି ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ପାଇଛି। ସାରସ୍ବତ ସାଧନା ପାଇଁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ୧୯୮୪ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ଏହାବ୍ୟତୀତ ସେ ସୋଭିଏତ୍‌ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ପାଇଥିଲେ। ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଭାବେ ସେ ବିଭିନ୍ନ ସରକାରୀ କଲେଜରେ କାର୍ଯ୍ୟକରି ରେଭେନ୍ସା କଲେଜରୁ ଅବସର ନେଇଥିଲେ। ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ସେ ସମାଜର କାର୍ଯ୍ୟକାରୀ ସଂପାଦକ ରହିଥିଲେ।

ତାଙ୍କ ପରଲୋକରେ ‘ସମ୍ବାଦ’ର ସଂପାଦକ (ଫିଚର) ଡକ୍ଟର ଗୌରହରି ଦାସ, ‘ସମାଜ’ର ପୂର୍ବତନ ସଂପାଦକ ବାମାପଦ ତ୍ରିପାଠୀ, କେନ୍ଦ୍ର ସାହିତ୍ୟ ‌ଏକାଡେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତରଂଜନ ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଂ. ପ୍ରଭାକର ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ମହାନଗର କମିସନର୍‌ ଅନନ୍ୟା ଦାସ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର