ଜେଏମ୍‌ଏମ୍‌ରେ ମିଶିଲେ ଡାକ୍ତର ନେପୋଲ୍ ରଘୁ ମୁର୍ମୁ

୨୦୧୪ ନିର୍ବାଚନରେ ସାଂସଦ ପ୍ରାର୍ଥୀ କରିଥିଲା ବିଜେପି

ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ସଭାପତିତ୍ୱ କରିଥିଲେ। ସମାବେଶରେ ଅଲ୍‌ଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡାକ୍ତର ନେପୋଲ୍ ରଘୁ ମୁର୍ମୁ ନିଜର ଶତାଧିକ ସମର୍ଥକଙ୍କ ସହ ଜେଏମ୍‌ଏମ୍‌ରେ ଯୋଗଦେଇଛନ୍ତି। ଶ୍ରୀମତୀ ସୋରେନଙ୍କୁ ତାଙ୍କୁ ଦଳୀୟ ଚିହ୍ନ ‘ଧନୁତୀର’ ପ୍ରଦାନ ପୂର୍ବକ ଦଳକୁ ସ୍ବାଗତ କରିଥିଲେ। ଜେଏମ୍‌ଏମ୍‌ରେ ଯୋଗ ଦେଇ ଆଦିବାସୀଙ୍କ ଉନ୍ନତି ପାଇଁ ଲଢ଼େଇ କରିବେ ବୋଲି ବକ୍ତବ୍ୟରେ ଡା.ମୁର୍ମୁ କହିଛନ୍ତି। ସୂଚନାଯୋଗ୍ୟ; ଡା.ମୁର୍ମୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଡାକ୍ତର ଚାକିରି ଛାଡ଼ି ବିଜେପିରେ ମିଶିବା ସହ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ହୋଇଥିଲେ।

ତେବେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ହାଁସଦାଙ୍କ ପାଖରୁ ପରାସ୍ତ ହୋଇଥିଲେ। ପରାଜୟ ପରଠାରୁ ସେ ସକ୍ରିୟ ରାଜନୀତିରେ ନଥିଲେ କି ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ସାମିଲ ହେଉନଥିଲେ। ତେ‌ବେ ୨୦୨୪ ନିର୍ବାଚନ ପୂର୍ବରୁ ଡାକ୍ତର ମୁର୍ମୁ ଜେଏମ୍‌ଏମ୍‌ରେ ସାମିଲ ହେବା ପରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି।
ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ପ୍ରବକ୍ତା ସୁନୀଲ ମାଝୀ, ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁ କିସ୍କୁ, ମୟୂରଭଞ୍ଜ (ପଶ୍ଚିମ) ଜିଲ୍ଲା ସଭାପତି ସନାତନ ମୁଣ୍ଡା, ସମ୍ପାଦକ ଅବଦୁଲ୍ ମାନନ, ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ, ଜିଲ୍ଲା ଛାତ୍ର ସଭାପତି ସୁନାରାମ ନାଏକ, ବାମନଘାଟି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଜକସନ, ଉପସଭାପତି ମହମ୍ମଦ ଜାହିଦ, ସମ୍ପାଦକ ସାଦିମାନ, ବିଜାତଳା ବ୍ଲକ୍ ସଭାପତି ବ୍ରଜମୋହନ ମୁର୍ମୁ, ରାଇରଙ୍ଗପୁର ବ୍ଲକ୍ ସଭାପତି ଭାଗବତ ମାଝୀଙ୍କ ସହ ଜେଏମ୍‌ଏମ୍‌ର ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର