ତୃତୀୟ ଲହରର ପ୍ରଭାବ ବେଶୀ ପଡ଼ିବ ନାହିଁ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର

ଭୁବନେଶ୍ୱର: ତୃତୀୟ ଲହରର ପ୍ରଭାବ ବେଶୀ ପଡିବ ନାହିଁ ଓ ଧୀରେ ଧୀରେ କୋଭିଡର ପ୍ରଭାବ କମିଯିବ | କିଛି ଏଭଳି ଅନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର | ସେ କହିଛନ୍ତି ଯେ କୋଭିଡ ସିଜେନାଲ ଫ୍ଲୁ ଭଳି ରହିବ ଓ ଧିରେ ଧିରେ ପ୍ରଭାବ କମିଯିବ | ତେବେ କୋଭିଡ କଟକଣା ମାନିବାକୁ ପଡିବ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ | ସେହିପରି ଡାକ୍ତର ନିରଜ ମିଶ୍ର ଅନୁମାନ ଲଗାଇଛନ୍ତି ଯେ ବର୍ଷ ଶେଷ ବେଳକୁ ସ୍ଥିତି ନିୟନ୍ତ୍ରଣରେ ଆସିଯିବ ଓ ଆଗାମୀ ବର୍ଷ ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ଭଲ ହୋଇସାରିଥିବ |

ଅନ୍ୟପଟେ କୋଭିଡ ଟିକା ନେଇଥିଲେ ବି ବୁଷ୍ଟର ଡୋଜ କିଛି ଦେଶରେ ଆରମ୍ଭ ହୋଇଥିବାବେଳେ ସେ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ନେବାକୁ ପଡିପାରେ | ଅନ୍ୟ ଦେଶରେ ବୁଷ୍ଟର ଡୋଜ ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି | ଅନ୍ୟପଟେ ରାଜ୍ୟରେ ତୃତୀୟ ଲହର ନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଯେ ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ହେବନାହିଁ | । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ, ଯଦି ରୂପ ନବଦଳାଏ ତେବେ ପ୍ରଭାବ ଏତେ ରହିବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସିବିକେ ମହାନ୍ତି ।

ସମ୍ବନ୍ଧିତ ଖବର