ବୁର୍ଲା: ବହୁରାଷ୍ଟ୍ରୀୟ ପେଟ୍ରୋଲିୟମ କମ୍ପାନି ‘ସ୍କ୍ଲମ୍ବର୍ଜର’ର ଉଚ୍ଚ ପଦାଧିକାରୀ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ରେ କାର୍ଯ୍ୟରତ ଥିଲେ। ମୋଟା ଅଙ୍କର ବାର୍ଷିକ ପ୍ୟାକେଜ୍ ଥିଲା। କିନ୍ତୁ ମାଟି ମନସ୍କ କାରଣରୁ ବିଦେଶରେ ବେଶି ଦିନ ତିଷ୍ଠି ପାରିଲେ ନାହିଁ। ଜନ୍ମମାଟିର ମମତାରେ ପୁଣି ଟାଣି ହୋଇ ଆସିଲେ ନିଜ ମାତୃଭୂମି ଗଞ୍ଜାମଜିଲ୍ଲା ଆସ୍କା ସହରକୁ। ପରେ ଖଡ଼ଗପୁର ଆଇଆଇଟିରେ ପିଏଚ୍ଡି କରି ଗତ ଦଶବର୍ଷ ହେଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଅଧ୍ୟାପନା କରୁଛନ୍ତି ଡ.ପାଣ୍ଡବ ପାତ୍ର। ଡ.ପାତ୍ର ବର୍ତ୍ତମାନ ଭିସୁଟ୍ର ମେକାନିକାଲ ବିଭାଗର ସହକାରୀ ପ୍ରଫେସର ରହିଛନ୍ତି। ବୁର୍ଲାର ସବୁଜିମା ଓ ପ୍ରାକୃତିକ ଦୃଶ୍ୟରେ ସମ୍ମୋହିତ ହୋଇଥିଲେ ଡ. ପାତ୍ର। ମହାନଦୀ କୂଳ ଓ ବୁର୍ଲା ସହରର ଖୋଲା ସ୍ଥାନରେ ସବୁଜିମା ସୃଷ୍ଟି କରିବା ପାଇଁ ଇଚ୍ଛା ଜାଗିଥିଲା।
ଗତ ପାଞ୍ଚବର୍ଷ ହେଲା ବୃକ୍ଷରୋପଣ ଅଭିଯାନ ଆରମ୍ଭ କରି ବୁର୍ଲାର ବିଭିନ୍ନ ଖୋଲା ସ୍ଥାନ ଓ ମହାନଦୀ କୂଳରେ ବୃକ୍ଷ ରୋପଣ କରି ଚାଲିଛନ୍ତି। ପ୍ରତି ବର୍ଷ ଏକ ହଜାରରୁ ଅଧିକ ଚାରାରୋପଣ କରୁଛନ୍ତି। ପୂର୍ବରୁ ଭିସୁଟ୍ ନିକଟରେ ସରକାରୀ ଚାରା ଉତ୍ପାଦନ କେନ୍ଦ୍ର ଥିବାରୁ ତାଙ୍କୁ ସୁବିଧା ହେଉଥିଲା। ଚାରା ଉତ୍ପାଦନ କେନ୍ଦ୍ର ସ୍ଥାନାନ୍ତର ହେବା ପରେ ଗୋଶାଳାରୁ ନିଜ ସ୍କୁଟିରେ ଚାରା ଆଣୁଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ତାଳଗଛର ସୁରକ୍ଷା ଓ ଚାରାରୋପଣ ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପରଠାରୁ ଡ.ପାତ୍ର ବୁର୍ଲା, ମହାନଦୀ କୂଳ ଓ ହୀରାକୁଦ ନଦୀବନ୍ଧ ସଂଲଗ୍ନ ଅଞ୍ଚଳରେ ତାଳ ମଞ୍ଜି ରୋପଣ କରିଆସୁଛନ୍ତି। ଗତ ଦୁଇଟି ତାଳ ଋତୁରେ ମଞ୍ଜି ସଂଗ୍ରହ କରି ୨୦୦୦ରୁ ଅଧିକ ମଞ୍ଜି ପୋତି ସାରିଲେଣି। ଏଥିରେ ସହାୟକ ହୋଇଛି ତାଙ୍କ ସରକାରୀ କ୍ବାର୍ଟର୍ସ ନିକଟରେ ଥିବା କିଛି ତାଳଗଛ। ତାଳ ପାଚି ତଳେ ପଡ଼ିବା ପରେ ଡ. ପାତ୍ର ମଞ୍ଜି ସଂଗ୍ରହ କରୁଛନ୍ତି। ଗୋଟିଏ ତାଳରୁ ତିନିଟି ମଞ୍ଜି ବାହାରୁଛି। ସେଗୁଡ଼ିକୁ ସଂଗ୍ରହ କରିବା ସହ ଅନ୍ୟ ସ୍ଥାନରୁ ମଞ୍ଜି ସଂଗ୍ରହ କରି ନିଜ ସ୍କୁଟିରେ ବିଭିନ୍ନ ସ୍ଥାନ ବୁଲି ପୋତୁଛନ୍ତି। ଆଗାମୀ ବର୍ଷଠାରୁ ମଞ୍ଜି ନ ପୋତି ଚାରା ପ୍ରସ୍ତୁତ କରିବା ପରେ ପୋତିବାକୁ ଯୋଜନା କରିଛନ୍ତି। ଏହାମଧ୍ୟରେ ‘ପାଟ୍ରିଅଟ୍’ ନାମକ ଏକ ଅନୁଷ୍ଠାନ ଗଠନ କରି ନିଜ ଅଭିଯାନରେ ଭିସୁଟ୍ର କିଛି ଛାତ୍ରଙ୍କୁ ମଧ୍ୟ ସାମିଲ କରିଛନ୍ତି।