ବରିଷ୍ଠ ଚିକିତ୍ସକ ଡା. ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟ ଆଉନାହାନ୍ତି

ବାଲେଶ୍ବର : ‌ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଅନୁଷ୍ଠାନ ପ୍ରେମୀ ଡା. ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟ ଆଉନାହାନ୍ତି। ସୋମବାର ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବର୍ଗତ ଆଚାର୍ଯ୍ୟଙ୍କର ଏହି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା।

ଜଣେ ଲୋକପ୍ରିୟ ଚିକିତ୍ସକ ଭାବରେ ଡା. ଆଚାର୍ଯ୍ୟ ସମଗ୍ର ଉତ୍ତର ଓଡ଼ିଶାରେ ସୁଖ୍ୟାତି ଅର୍ଜନ କରିଥିଲେ। ଡାକ୍ତରୀ ବୃତ୍ତିରେ ଯୋଗଦାନ ପରେ ବାଲେଶ୍ବରରେ ଦୀର୍ଘବର୍ଷ ଧରି ଭେଷଜ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ନିଜର ଘରୋଇ ଚିକିତ୍ସାଳୟ ଖୋଲି ରୋଗୀ ସେବାରେ ନିୟୋଜିତ ଥିଲେ। ଯଦିଓ ତାଙ୍କ ମୂଳଘର ଅବିଭକ୍ତ କଟକ ଜିଲ୍ଲା ଜଗତସିଂହପୁରରେ କିନ୍ତୁ ଦୀର୍ଘ ଦଶନ୍ଧି ଧରି ବାଲେଶ୍ବର ଜିଲ୍ଲା ଜନଜୀବନର ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ବ ଭାବେ ପରିଚିତ ଥିଲେ। କେବଳ ଚିକିତ୍ସା ସେବାରେ ସୀମିତ ନରହି ବାଲେଶ୍ବରର ସାହିତ୍ୟ, ସାଂସ୍କୃତିକ ଓ ନାଟ୍ୟାନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ‘ବିନ୍ଦୁ ବଳୟ’ ନାଟ୍ୟ ସଂସ୍ଥା‌ରେ ଦୀର୍ଘ ୨୫ ବର୍ଷ ଧରି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏତଦ୍‌ବ୍ୟତୀତ ଫକୀରମୋହନ ସାହିତ୍ୟ ପରିଷଦ, ନୃତ୍ୟ ସଙ୍ଗୀତ କଳା ମନ୍ଦିର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଂଚ, ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନ ସମିତି, ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଓ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଭଳି ଅନେକ ଅନୁଷ୍ଠାନରେ ସେ ସକ୍ରିୟ ସଦସ୍ୟ ଥିଲେ। ସୁବର୍ଣ୍ଣଶ୍ରୀ ପ୍ରକାଶନୀ ଦ୍ବାରା ତାଙ୍କ ରଚିତ ଦୁଇ ପୁସ୍ତକ ମନ-ଆତ୍ମା-ଶରୀର ଓ ସୋଲ-ବଡି-ମାଇଣ୍ଡ ପାଠକମାନଙ୍କ ମନରେ ବେଶ ଆଦୃତି ଲାଭ କରିଛି।

ସମ୍ବନ୍ଧିତ ଖବର