ରାଉରକେଲା/ସାରନଗରୀ : କରୋନା ନେଇଛି ଆଉଜଣେ କରୋନା ଯୋଦ୍ଧାଙ୍କ ଜୀବନ। ରାଉରକେଲାର ବିଶିଷ୍ଟ ଡାକ୍ତର ରାହାସ ବିହାରୀ ମହାପାତ୍ର(୭୦) ଆଉ ନାହାନ୍ତି। ଆଜି ଭୋର୍ ପ୍ରାୟ ୨ଟା ୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଜଣେ ଲୋକପ୍ରିୟ ଚିକିତ୍ସକ ହେବା ସହିତ ଡାକ୍ତର ମହାପାତ୍ର ସମାଜସେବୀ ଓ ମା' ଗାୟତ୍ରୀଙ୍କ ଉପାସକ ଭାବେ ସହରରେ ବେଶ୍ ପରିଚିତ ଥିଲେ। ତାଙ୍କ ମରଶରୀରକୁ ରାଉରକେଲା ଆଣିବାକୁ ତାଙ୍କ ପୁଅ ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ କ୍ରମେ ରାଉରକେଲା ଓ ଭୁବନେଶ୍ୱର ପ୍ରଶାସନିକ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ତାଙ୍କର ମରଶରୀରକୁ ଆଜି ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ରାଉରକେଲା ଅଣା ଯାଉଛି। ମରଶରୀର ରାଉରକେଲା ପହଞ୍ଚିବା ପରେ ବେଦବ୍ୟାସ ଶ୍ମଶାନ ଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ଯୋଦ୍ଧା ଭାବେ ଶେଷ ସମ୍ମାନ ଦିଆଯିବ ଏବଂକୋଭିଡ୍ ନିୟମ ଅନୁସାରେ ଦାହ କରାଯିବ।
ଡାକ୍ତର ମହାପାତ୍ର ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ବରିଷ୍ଠ ଉପ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୮ରେ ଚାକିରିରୁ ଅବସର ନେଇଥିଲେ। ପରେ ୨୦୧୭ରେ ଦୁଇବର୍ଷ ପାଇଁ ସାରନଗରୀ ସେଲ୍ ହସ୍ପିଟାଲରେ ଠିକା ନିଯୁକ୍ତି ପାଇଥିଲେ। ସେ ସହରର ବିଭିନ୍ନ ସାମାଜିକ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନରେ ବିଭିନ୍ନ ପଦ ପଦବିରେ ରହି ବହୁ ବିକାଶମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ରାଉରକେଲା ସଚେତନ ନାଗରିକ ମଞ୍ଚର ସଭାପତି ଭାବେ ସେ କାର୍ଯ୍ୟ କରୁଥିଲେ। ଗାୟତ୍ରୀ ପରିବାରର ଜଣେ ବିଶିଷ୍ଟ ଶ୍ରଦ୍ଧାଳୁ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରରୁ ଶୋକ ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ପୂର୍ବତନ ବିଧାୟକ ଦିଲୀପ ରାୟ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ, ମା ଗାୟ୍ରତୀ ତାଙ୍କ ପରିବାର ତଥା ଆତ୍ମୀୟସ୍ବଜନଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି।
ଡାକ୍ତର ମହାପାତ୍ରଙ୍କ ପତ୍ନୀ ମଞ୍ଜୁ ଶର୍ମା ମହାପାତ୍ର ହେଉଛନ୍ତି ଜଣେ ପରିଚିତ ଲେଖିକା ଓ ଅନୁବାଦିକା। ସେମାନଙ୍କର ଏକମାତ୍ର ପୁଅ ଓଜେସ୍ ଓ ଝିଅ ଦୀପ୍ତି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ରହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Gautam-babu.jpg)