ସମ୍ବଲପୁର : ନିଜ ରୋଗୀସେବା ଓ ବଦାନ୍ୟତା ପାଇଁ ଜଣାଶୁଣା ଭିମସାର୍‌ର ଆସିଷ୍ଟାଣ୍ଟ ପ୍ରଫେସର୍‌ ଡା. ଶଂକର ରାମଚନ୍ଦାନୀ ପୁଣିଥରେ ନିଜ କାର୍ଯ୍ୟ ପାଇଁ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଛନ୍ତି। ସେ ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଦୁଇ କର୍କଟ ଆକ୍ରାନ୍ତ ଶିଶୁଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନିଜ ଯାଁଳା ଝିଅଙ୍କ ଜନ୍ମଦିନ ପାଳନ ବାବଦକୁ କୌଣସି ଖର୍ଚ୍ଚ ନକରି ଡା. ରାମଚନ୍ଦାନୀ ସେହି ଅର୍ଥକୁ କୌଣସି ଗରିବ ପିଲାର ହିତରେ ଦାନ କରିବେ ବୋଲି ସଂକଳ୍ପ ନେଇଥିଲେ।

Advertisment

ଗତ ବର୍ଷ ମଧ୍ୟରେ ସେ ଏହି ବାବଦରେ ଜଣେ ଗରିବ ଶିଶୁର ଚିକିତ୍ସା ଓ ପାଠପଢ଼ା ପାଇଁ ସହାୟତା କରିଥିଲେ। ଏଥର ଭିମସାର୍‌ରେ ସେଭଳି ଦୁଇ ଜଣ ଗରିବ ଶିଶୁ ରୋଗୀଙ୍କୁ ଠାବ କରିବା ପରେ ଉଭୟଙ୍କ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ସୋରଡ଼ାର ଆଲ୍‌ଫସ୍ ମୁଣ୍ଡା (୧୦) ଏବଂ ସୋନପୁର ଜିଲ୍ଲା ଘିଚାପାଲିର ରାଜଗୋପାଳ ଲୁହା (୮)। ଉଭୟ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଉଭୟଙ୍କ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ପିଲାଙ୍କ ଚିକିତ୍ସା ପାଇଁ କୌଣସି ସମ୍ବଳ ନାହିଁ। ତେଣୁ ସେମାନଙ୍କୁ ନିଜ ସାଧ୍ୟ ମୁତାବକ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇ ଡା. ରାମଚନ୍ଦାନୀ ଉଭୟଙ୍କ ଅଭିଭାବକଙ୍କୁ ଅର୍ଥ ପ୍ରଦାନ କରିଥିଲେ। ସେ ମଧ୍ୟ ନିଜେ ଯାଇ ପିଲା ଦ୍ବୟଙ୍କର ସେବାଯତ୍ନ କରୁଛନ୍ତି।