ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ରିମାଣ୍ଡ୍‌ରେ ନେବ ଭିଜିଲାନ୍ସ

କଟକ: ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କୁ ଭିଜିଲାନ୍ସ ଦୁଇ ଦିନ ରିମାଣ୍ଡ୍‌ରେ ନେବ। ଆଜି ଏଥିପାଇଁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁମତି ଦେଇଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଔଷଧ କମ୍ପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା, ଏଥିପାଇଁ ଷଡଯନ୍ତ୍ର କରିବା ଓ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଭଳି ଅଭିଯୋଗ ଡାକ୍ତର ଜେନାଙ୍କ ବିରୋଧରେ ରହିଥିବା ବେଳେ ତଦନ୍ତକାରୀ ସଂସ୍ଥାର ହେପାଜତରେ ତାଙ୍କୁ ଜେରା କରାଗଲେ ବହୁ ତଥ୍ୟ ଉନ୍ମୋଚନ ହୋଇ ପାରିବ ଦର୍ଶାଇ ଭିଜିଲାନ୍ସ ରିମାଣ୍ଡ୍‌ ଆବେଦନ କରିଥିଲା। ଡାକ୍ତର ଜେନାଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ଆବେଦନ କରିଥିଲା। ଆବେଦନର ଶୁଣାଣି କରି ଅଦାଲତ ଡାକ୍ତର ଜେନାଙ୍କୁ ୨ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଡାକ୍ତର ଜେନାଙ୍କୁ ଆସନ୍ତା ୨୬ ଓ ୨୭ ଦୁଇ ଦିନ ରିମାଣ୍ଡ୍‌ରେ ନେବା ପାଇଁ ଭିଜିଲାନ୍ସକୁ ଅନୁମତି ମିଳିଛି। ରିମାଣ୍ଡ୍‌ ଅବଧି ସରିବା ପରେ ତାଙ୍କୁ ୨୮ ତାରିଖରେ ଅଦାଲତରେ ହାଜର କରାଯିବ।

ଏଠାରେ ସୂଚନା ଯୋଗ୍ୟ ଯେ ଡାକ୍ତର ଜେନାଙ୍କୁ ଗିରଫ ପରେ ଗତ ୨୧ ତାରିଖରେ ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଅଦାଲତ ୨୦୧୮, ଜାନୁଆରି ୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ଡାକ୍ତର ଜେନାଙ୍କ ପକ୍ଷରୁ ଦାୟର ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର