ଅଙ୍ଗନବାଡ଼ି କର୍ମୀ ପ୍ରସଙ୍ଗରେ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ଡା. ଦାମୋଦର ରାଉତ

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ଡାକ୍ତର ଡାମୋଦର ରାଉତ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। କହିଛନ୍ତି ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ଏଥିରେ ଯଦି କାହାକୁ ଆଘାତ ଲାଗିଛି, ସେଥିପାଇଁ ସେ ଦୁଃଖିତ।
ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ମନ୍ତ୍ରୀ ଡାକ୍ତର ରାଉତ ଜଣେ ବିଜେପି ନେତ୍ରୀଙ୍କୁ ସଙ୍କେତ କରି ସ୍ୱାମୀ ଛାଡ଼ି ଅଙ୍ଗନବାଡି ବୋଲି ଦେଇଥିବା ମନ୍ତବ୍ୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେପି ଆହ୍ଵାନ ଦେବା ସହିତ ମନ୍ତ୍ରୀ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜର ଅପାରଗତା ଓ ସ୍ଥାଣୁତା କାରଣରୁ ନିନ୍ଦିତ ହେବା ଫଳରେ ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର ହଟାଇବା ପାଇଁ ଜାଣିଶୁଣି ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି । ଏହି ଘଟଣା ସୂଚାଇ ଦେଇଛି ଯେ ରାଜ୍ୟର ମା’, ଭଉଣୀଙ୍କ ପ୍ରତି ସରକାରଙ୍କ ସମ୍ମାନ କେତେ? ବୋଲି ବିଜେପି ପକ୍ଷରୁ ବିଜେଡିକୁ ପ୍ରଶ୍ନ କରାଯାଇଛି।
ଏପରିକି ଏହାକୁ ନେଇ ଆଜି ସମଗ୍ର ରାଜ୍ୟରେ ବିଜେପି ମହିଳା ମେର୍ଚ୍ଚର୍ା ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀ ଡା. ରାଉତ କହିଛନ୍ତି ଯେ ସେ ଓଡ଼ିଆର ଏକ ଲୋକ କଥାକୁ ଦୋହରାଇ ଥିଲେ। ଅଙ୍ଗନବାଡ଼ି କିପରି ଅଙ୍ଗନବାଡ଼ି କର୍ମୀ ହେଲେ ବୋଲ ତାହା ସେ ବୁଝି ପାରୁ ନାହଁନ୍ତି। ଏକ ଜାତୀୟ ଦଳର ଜଣେ ନେତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟ କହିବା, ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଶ୍ରୀଖଣ୍ଡି କହିବା କେତେଦୂର ସମାଚୀନ ରାଜ୍ୟବାସୀ ତାର ବିଚାର କରିବେ। ତେବେ ତାଙ୍କ ମନ୍ତବ୍ୟକୁ ବୈଦ୍ୟୁତିକ ଗଣମାଧ୍ୟମରେ ଭୁଲ ତର୍ଜମା କରାଯାଇଛି। ସେ ଯାହାବି ହେଉ ଯଦି ତାଙ୍କ ମନ୍ତବ୍ୟ କାହାକୁ ଦୁଃଖ ଦେଇଛି, ସେଥିପାଇଁ ସେ ନିଜେ ଦୁଃଖିତ ବୋଲି କହି ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ନେବାକୁ ଚେଷ୍ଟା କରିଛନ୍ତି ବରିଷ୍ଠ ମନ୍ତ୍ରୀ ଡା. ରାଉତ।

ସମ୍ବନ୍ଧିତ ଖବର