ସେ ‘ପଦ୍ମଶ୍ରୀ’ ପାଇବା କଥା

ସେ ଯେତେବେଳେ ନ୍ୟୁରୋ ସର୍ଜରିରେ ପଢିବା ପାଇଁ ଭେଲୋର ଗଲେ, ସେତେବେଳେ ତାଙ୍କୁ ଅନେକ ପରିହାସ ବି କରିଛନ୍ତି। କିନ୍ତୁ ସେ ସଫଳତାର ସହ ଶିକ୍ଷା ସମାପ୍ତ କରି ରାଜ୍ୟକୁ ଫେରିଲେ ଏବଂ ରାଜ୍ୟରେ ନ୍ୟୁରୋ ସର୍ଜରି ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କଲେ। ତାଙ୍କର ନିରନ୍ତର ଉଦ୍ୟମରେ ଏସସିବିରେ ନ୍ୟୁରୋ ସର୍ଜରି ବିଭାଗ ସୃଷ୍ଟି ହେଲା। ସିଟି ସ୍କାନ ମେସିନ୍ ଆସିଲା। ବହୁ ବିରଳ ଅସ୍ତ୍ରୋପଚାର ହେଲା। ସେ ଏସସିବିରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେବା ବେଳେ ଆମେ ଏମବିବିଏସ୍ ଛାତ୍ର ଥିଲୁ। ଛାତ୍ରମାନଙ୍କ ପ୍ରତି ତାଙ୍କର ସବୁ ବେଳେ ସ୍ବତନ୍ତ୍ର ଦୃଷ୍ଟି ଆଉ ସହଯୋଗ ରହୁଥିଲା। ଏସସିବିର ବିକାଶ ସହିତ ଡିଏମଇଟି ଭାବେ ରାଜ୍ୟ ମେଡିକାଲ ଶିକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଛି। ସେ ବାହାର ରାଜ୍ୟ ଅଥବା ବିଦେଶକୁ ଯାଇ ପ୍ରତିଷ୍ଠିତ ହୋଇ ପାରିଥାନ୍ତେ। କିନ୍ତୁ ସେ ରାଜ୍ୟରେ ରହି ଲୋକଙ୍କ ସେବା କରିବାକୁ ପସନ୍ଦ କରିଥିଲେ। ସେ ବିଭିନ୍ନ ସାମାଜିକ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ରହି ଲୋକଙ୍କ ସେବା କରୁଥିଲେ। ସେ ଓଡ଼ିଶା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଥିଲେ। ୬ ମାସ ପୂର୍ବରୁ ସେ ଜିହ୍ବା-ମୁଖ ଗହ୍ବର କର୍କଟ ରୋଗରେ ପୀଡିତ ଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ଯାଇଥିଲେ। ତାଙ୍କ ଭଳି ଲୋକ ‘ପଦ୍ମଶ୍ରୀ’ ସମ୍ମାନ ପାଇବା କଥା। କିନ୍ତୁ ତାହା ସମ୍ଭବ ହୋଇପାରି ନାହିଁ।
ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ

ସେ ଥିଲେ ମସ୍ତିଷ୍କଜନିତ ରୋଗ ଚିକିତ୍ସାର ଧନ୍ବନ୍ତରୀ
ସେ ଦିଲ୍ଳୀ କିମ୍ବା ପାଶ୍ଚାତ୍ୟ ଦେଶରେ ଉଚ୍ଚ ପଦପଦବି ଓ ଖ୍ୟାତି ହାସଲ କରିପାରିଥାନ୍ତେ। କିନ୍ତୁ ସେ ତାହାକୁ ପଛରେ ପକାଇ ଓଡ଼ିଶାକୁ ବିଶେଷକରି କଟକକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ। କଟକ ବଡ ଡାକ୍ତରଖାନାରେ ନ୍ୟୁରୋ ସର୍ଜରି ବିଭାଗ ଖୋଲିବା, ସିଟି ସ୍କାନ ମେସିନ ଆଣିବା ଆଦି କାର୍ଯ୍ୟ ତାଙ୍କର ଦୂରଦର୍ଶିତାର ପ୍ରମାଣ। ପରିଣତ ବୟସରେ ମଧ୍ୟ ସେ ଚଳଚଞ୍ଚଳ ଥିଲେ ଏବଂ ସଫଳତାର ସହ ଅସ୍ତ୍ରୋପଚାର କରୁଥିଲେ। ମସ୍ତିଷ୍କଜନିତ ବେମାରୀରେ ସେ ଥିଲେ ଭାରତର ଧନ୍ବନ୍ତରୀ, ଯାହାଙ୍କର ଖ୍ୟାତି ବିଶ୍ବର ଚିକିତ୍ସା କ୍ଷେତ୍ରରେ ପରିବ୍ୟାପ୍ତ ଥିଲା। ଡାକ୍ତର ସନାତନ ରଥଙ୍କ ତିରୋଧାନରେ ମୁଁ ଗଭୀର ମର୍ମାହତ। ତାଙ୍କର ଶୋକସନ୍ତପ୍ତ ପରିବାର ତଥା ଶୁଭେଚ୍ଛୁଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।
ଭର୍ତ୍ତୃହରି ମହତାବ, ସାଂସଦ, କଟକ

ସ୍ନାୟୁଶଲ୍ୟର ଜନକଙ୍କୁ ହରାଇଲୁ
ସ୍ନାୟୁଶଲ୍ୟ ଚିକିତ୍ସା କଣ, ତାହା ଲୋକ ଜାଣି ନଥିଲେ। ସେ ସେହି ଚିକିତ୍ସା ସଂପର୍କରେ ଲୋକଙ୍କୁ ଜଣାଇଲେ। ତାଙ୍କ ଚିକିତ୍ସାରେ କେତେ ଯେ ରୋଗୀ ଉପକୃତ ହୋଇଛନ୍ତି ତା’ କହିବ‌ା ମୁସ୍କିଲ। ସେ ହେଉଛନ୍ତି ଓଡିଶାର ସ୍ନାୟୁଶଲ୍ୟ ଚିକିତ୍ସାର ଜନକ। ଚିକିତ୍ସା ଜଗତର ଜଣେ ଉଜ୍ଜଳତମ ତାରକାଙ୍କୁ ଦେଶ ହରାଇଲା। ତାହା କେବେ ପୂରଣ ହେବ ନା ନାହିଁ, ତାହା ଜଗନ୍ନାଥ ଜାଣନ୍ତି। ତାଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ଭଗବାନ ତାଙ୍କ ଆତ୍ମାକୁ ସଦ୍‌ଗତି ଦିଅନ୍ତୁ।
ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଡିଏମ୍‌ଇଟି

ସମ୍ବନ୍ଧିତ ଖବର