ଡ. ସଂଜୟ ଶତପଥୀ କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି

ଭାରତ ବିଶ୍ବବିଦ୍ୟାଳୟ ମାନଚିତ୍ରରେ କଳାହାଣ୍ଡିକୁ ସ୍ଥାନ ଦେବା ପ୍ରାଥମିକତା

ଭବାନୀପାଟଣା : କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବେ ଡ. ସଂଜୟ ଶତପଥୀଙ୍କୁ ଓଡ଼ିଶା ରାଜ୍ୟପାଳ ଆଜି ନିଯୁକ୍ତି ଦେଇଛନ୍ତି। ଭାରତ ବିଶ୍ବବିଦ୍ୟାଳୟ ମାନଚିତ୍ରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ସ୍ଥାନ ଦେବା ପାଇଁ ପ୍ରାଥମିକତା ରହିବ ବୋଲି ନବନିଯୁକ୍ତ କୁଳପତି କହିଛନ୍ତି। ସେହିଭଳି କଳାହାଣ୍ଡିର ଆଦିବାସୀ ଇତିହାସ, ଲୋକସଂସ୍କୃତି, ପରମ୍ପରା ଗବେଷଣା ଉପରେ ଗୁରୁତ୍ବ ଦିଆଯିବ। ଏକଦା କଳାହାଣ୍ଡି ଜିଲ୍ଲା ଜୈନ ଧର୍ମର କେନ୍ଦ୍ର ଥିଲା। ଏହା ଉପରେ ଗବେଷଣା କାର୍ଯ୍ୟ ହେବ। କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ବର୍ଷାଜଳ ସଂରକ୍ଷଣ, ପରିବେଶ ସୁରକ୍ଷା ପାଠ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଓ ଉଦ୍ୟୋଗୀ ବାତାବରଣ ସୃଷ୍ଟି କରାଯିବ।

ଶ୍ରୀ ଶତପଥୀ କଳାହାଣ୍ଡି ଜିଲ୍ଲାରେ ୧୯୮୮ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଥିଲେ। ‌ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ବାଣିଜ୍ୟ ବିଭାଗର ପ୍ରଫେସର ଭାବରେ ଅବସର ଗ୍ରହଣ କରିଛନ୍ତି। ପ୍ରାୟ ୨୪ଟି ପୁସ୍ତକ ରଚନା କରିଥିବା ବେଳେ ୩୬ ବର୍ଷ ଧରି ଅଧ୍ୟାପନାର ଅଭିଜ୍ଞତା ରହିଛି। କଳାହାଣ୍ଡି ଜିଲ୍ଲା ଉପରେ ଗବେଷଣା ଓ ଶିକ୍ଷା ତଥା ଅଭିଜ୍ଞତାର ଭରପୂର ଉପଯୋଗ କରିବେ ବୋଲି ସେ ଆଶାବାଦୀ ଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର