‘କ୍ରୟଶକ୍ତି ହ୍ରାସ ଯୋଗୁଁ ଚାହିଦା ହ୍ରାସ ହେଉଛି, ସମାଧାନ ପାଇଁ ବ୍ୟବସ୍ଥା ନାହିଁ’

କରୋନା ପ୍ରଭାବରେ ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହିତ ଅନେକ ନିଯୁକ୍ତି ଓ ଜୀବିକାର ଉତ୍ସ ହରାଇବା ଯୋଗୁଁ ବିଶ୍ବର ବିଭିନ୍ନ ସରକାର ବିଭିନ୍ନ ପ୍ରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ, ଏହାକୁ ଆର୍ଥିକ ପ୍ୟାକେଜରେ ହିସାବ କରିବା ଅନୁଚିତ। ପୁନଶ୍ଚ ବର୍ତ୍ତମାନ ସମସ୍ୟା ହେଉଛି କ୍ରୟ ଶକ୍ତି ହ୍ରାସ ଜନିତ ଚାହିଦା ହ୍ରାସ। ଏହାର ସମାଧାନ ପାଇଁ ବିଶେଷ କିଛି ପଦକ୍ଷେପ ନାହିଁ। ସରକାର ନିକଟରେ ଋଣ କରିବା ପରିମାଣ ଧାର୍ଯ୍ୟ ୭.୮ଲକ୍ଷ କୋଟି ଟଙ୍କାରୁ ୧୨ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ବଜେଟ ଧାର୍ଯ୍ୟ ଋଣଠାରୁ ଅଧିକ ୪.୨ଲକ୍ଷ କୋଟି ଟଙ୍କା ଋଣ ରହିଛି। କିନ୍ତୁ ବଜେଟ୍‌ରେ ଯେତିକି ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଛି, ତାହାଠାରୁ ପ୍ରାୟ ୨ଲକ୍ଷରୁ ୩ଲକ୍ଷ କୋଟି ଟଙ୍କା କମ୍‌ ଆଦାୟ ହେବ। ଏଣୁ ପ୍ୟାକେଜର ମୂଲ୍ୟ ପ୍ରାୟ ୨ରୁ ୩ଲକ୍ଷ କୋଟି ଟଙ୍କା ହେବ। ଯାହ ଜିଡିପିର ୧.୫ ପ୍ରତିଶତ ହେବ। କିନ୍ତୁ ବର୍ତ୍ତମାନର ମୁଖ୍ୟ ପଦକ୍ଷେପ ହେବା ଉଚିତ୍‌ ଯେ, ଦେଶବ୍ୟାପୀ ଲୋକେ କରୋନା ସହିତ କିପରି ବଞ୍ଚିବେ ଏବ˚ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବ। ଏଥିପାଇଁ ସମାଜର ଦୁର୍ବଳ ଶ୍ରେଣୀଙ୍କୁ ମୌଳିକ ଆୟ ଯୋଜନାରେ କିଛି ଅର୍ଥ ଦେବା, ନିଯୁକ୍ତି ସୃଷ୍ଟି କରିବା ଏବ˚ ସ୍ବାସ୍ଥ୍ୟସେବା ମାଗଣାରେ ଉପଲବ୍ଧ କରାଇବା ସହିତ ଦେଶର ବିଭିନ୍ନ ସ୍ଥାନରେ କରୋନା ଚିକିତ୍ସାଳୟ ଖୋଲିବା ଆବଶ୍ୟକ। ଯେପରି ଜଣେ ଚାହିଁବା ଅନୁସାରେ କରୋନା ସଂକ୍ରମଣ ପରୀକ୍ଷା କରିପାରିବ ଏବ˚ ଚିକିତ୍ସିତ ହୋଇପାରିବ, ସେ ବ୍ୟବସ୍ଥା ହେବା ଦରକାର।

ଡକ୍ଟର ସନ୍ତୋଷ କୁମାର ମହାପାତ୍ର , ଅର୍ଥନୀତିଜ୍ଞ ତଥା ସ୍ତମ୍ଭକାର

ସମ୍ବନ୍ଧିତ ଖବର