ସଙ୍କଟରେ ଉତ୍ସର୍ଗୀକୃତ ସେବକ ଡାକ୍ତର ସିହ୍ନା

ରାଉରକେଲା: କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କର ଦ୍ବିତୀୟ ରୂପ। ମହାମାରୀ ସଙ୍କଟ ସମୟରେ ସେବା ଓ ସମର୍ପଣ ମନୋଭାବ ରଖି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ସେମିତି ଜଣେ ସେବକ ହେଲେ ଡାକ୍ତର ଏସ.କେ.ସିହ୍ନା l କରୋନା ସଂକ୍ରମଣ ଭୟରେ ଅନେକ ଡାକ୍ତର ରୋଗୀ ସେବାରୁ ନିଜକୁ ଦୂରେଇ ରଖିଛନ୍ତି। ମାତ୍ର ବନ୍ଧମୁଣ୍ଡା ଅଞ୍ଚଳର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିରବଛିନ୍ନ ଚିକିତ୍ସା ସେବା ଯୋଗାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l ସଂକ୍ରମଣକୁ ଖାତିର ନ କରି ନିଜକୁ ସଦାସର୍ବଦା ରୋଗୀ ସେବାରେ ନିୟୋଜିତ ରଖିଛନ୍ତି l ଦିନକୁ ୪/୫ ଘଣ୍ଟା ନୁହେଁ ରାତି ଅଧରେ ବି ରୋଗୀଙ୍କୁ ଦେଖୁଛନ୍ତି l

ରେଲନଗରୀ ବନ୍ଧମୁଣ୍ଡାରେ ଡା. ସିହ୍ନା ନାମରେ ବେଶ୍ ପରିଚିତ। ଡକ୍ଟର ସିହ୍ନା ଗତ ୩୦ ବର୍ଷ ଧରି ବନ୍ଧମୁଣ୍ଡା ଏବଂ ବିସ୍ରା ଅଞ୍ଚଳର ଲୋକଙ୍କୁ ଚିକିତ୍ସା ସେବା ଦେଇଆସୁଛନ୍ତି l କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବନ୍ଧମୁଣ୍ଡା ଏବଂ ରାଉରକେଲା ସମେତ ଏହାର ଆଖପାଖରେ ଥିବା ସମସ୍ତ ଘରୋଇ ଡାକ୍ତର ସେମାନଙ୍କ କ୍ଲିନିକ୍ ବନ୍ଦ କରି ଦେଇଛନ୍ତି। ଏପରି କଠିନ ସମୟରେ ଡକ୍ଟର ସିହ୍ନା କିନ୍ତୁ ରୋଗୀଙ୍କ ସେବାକୁ ପ୍ରାଥମିକତା ଦେଉଛନ୍ତି। କେବଳ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ତା ନୁହେଁ ବରଂ ତାଙ୍କ କ୍ଲିନିକ୍ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କରୋନାରୁ ବର୍ତ୍ତିବାକୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ରାତି ଅଧରେ ସ୍ଥାନୀୟ ଦେହ ଖରାପ ହେଉଥିବା ଲୋକଙ୍କୁ ଚିକିତ୍ସା କରିବାରେ କେବେ ସେ କୁଣ୍ଠାବୋଧ କରି ନାହାନ୍ତି। ଯିଏ ଯେତେ ବେଳେ ତାଙ୍କ କ୍ଲିନିକରେ ପହଞ୍ଚନ୍ତି, ବିନା କୌଣସି ସଙ୍କୋଚରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରନ୍ତି।

ଡାକ୍ତର ସିହ୍ନା ଏହି ସେବା କାର୍ଯ୍ୟରେ ତାଙ୍କର କ୍ଲିନିକରେ ଜଣେ ମହିଳା ସହାୟକ ନର୍ସ ଏ. ରମେଶ୍ୱରୀଙ୍କ ସମେତ ଦୁଇଜଣ କଲେଜ ଛାତ୍ରଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ମହିଳା ଆଟେଣ୍ଡାଣ୍ଡ କ୍ଲିନିକ୍ ଭିତରେ ଦିନସାରା ଡାକ୍ତରଙ୍କୁ ସାହାଯ୍ୟ କରୁଛନ୍ତି। ସ୍ଥାନୀୟ ଦୁଇ ଜଣ ଛାତ୍ରମାନେ କ୍ଲିନିକକୁ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ସେବାରେ ସହାୟତା କରୁଛନ୍ତି। ସଙ୍କଟ ସମୟରେ ଡାକ୍ତର ସିହ୍ନାଙ୍କ ଏଭଳି ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ଡାକ୍ତର ସିହ୍ନା କହିଛନ୍ତି, ରୋଗୀଙ୍କ ଜୀବନ ରକ୍ଷା କରିବା ଡାକ୍ତରଙ୍କ କର୍ତ୍ତବ୍ୟ। ଜଣେ ଡାକ୍ତର ଭାବେ ରୋଗୀଙ୍କୁ ଚିକିତ୍ସା ସେବା ଦେବା ଆମର ଧର୍ମ l କରୋନା ସମୟରେ ଆମମାନଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ମହାମାରୀର ମହାବିପତ୍ତି ସମୟରେ ଗୋଗୀଙ୍କ କଷ୍ଟକୁ ଭଲ ଭାବେ ଉପଲବ୍ଧି କରିଛି। କରୋନା ସଂକ୍ରମଣ ଭୟ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରୋଗୀ ସେବାରୁ କେବେ ନିଜକୁ ଦୂରେଇ ରଖି ପାରି ନାହିଁ। ଦେଶରୁ ସଙ୍କଟ ନ ଟଳିବା ପର୍ଯ୍ୟନ୍ତ ମୋର ଏଭଳି ସେବା ଜାରି ରହିଥିବ ବୋଲି କହନ୍ତି ଡାକ୍ତର ସିହ୍ନା।

ସମ୍ବନ୍ଧିତ ଖବର