ଡା. ସୌମିତ୍ରୀ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ଆଜି ପରଲୋକ ଘଟିଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। କିଛିଦିନ ହେବ ସେ ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।

ସ୍ବର୍ଗତ ପାଣିଗ୍ରାହୀ ଓଡ଼ିଶାର ଜଣେ ସ୍ବନାମଧନ୍ୟ ଚିକିତ୍ସକ ଥିଲେ। ତେଣୁ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ କାମିନୀ ପାଣିଗ୍ରାହୀ, ବଡ଼ପୁଅ ଇଞ୍ଜିନିୟର ସୁଶାନ୍ତ କୁମାର ପାଣିଗ୍ରାହୀ, ଡାକ୍ତର ସୁମନ୍ତ ପାଣିଗ୍ରାହୀ, ବୋହୂ ପୁଷ୍ପମଞ୍ଜରୀ, ଡାକ୍ତର ସୁମିତା ନାୟକ, ଝିଅ ଗୀତାଞ୍ଜଳି, ପୁଷ୍ପାଞ୍ଜଳି ଏବଂ ଜ୍ୱାଇଁ ଅବସରପ୍ରାପ୍ତ ଆଇଏଏସ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ଆଇଏଏସ ଦ୍ୟୁବେନ୍ଦୁ ଶେଖର ମିଶ୍ର ଉପସ୍ଥିତ ଥିଲେ। ଆସନ୍ତାକାଲି ସକାଳ ୧୦ଟାରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ‌ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ସେ ୧୯୩୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ବରଗଡ଼ ଜିଲ୍ଲାର ଅତାବିରାରେ ଜନ୍ମଗ୍ରହଣ କରିଥିଲେ। କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ଡିଗ୍ରି କରିଥିବା ବେଳେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଏମଆରସିପି(ୟୁକେ) ଓ ଡିସିଏଚ କରିଥିଲେ। ଏହାସହ ଆମେରିକାର ନ୍ୟୁୟର୍କ ସହରର ବ୍ରୁନିଲ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ଫେରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭେଷଜ ଓ ଶିଶୁରୋଗ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟ କରିଥିଲେ। ପରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶେଷରେ ସେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ରହି ୧୯୯୧ ମସିହାରେ ଅବସରରେ ଗ୍ରହଣ କରିଥିଲେ। ଅବସର ପରେ ଶେ‌ଷ ପର୍ଯ୍ୟନ୍ତ ସେ ବିଜେବିନଗରସ୍ଥିତ ବାସଭବନରେ ରୋଗୀ ସେବା ଜାରି ରଖିଥିଲେ। ନିଜର କର୍ମମୟ ଜୀବନ ମଧ୍ୟରେ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର