ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ସାନଖେମୁଣ୍ଡି ରାଜଉଆସରେ କରାଯିବାର ସୂଚନା ମିଳିଛି। ତାଙ୍କର ଏକ ମାତ୍ର ପୁଅ ବୀର କିଶୋର ଦେବ ଜୀବିତ ଅଛନ୍ତି। ସେ ଏଥର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଡକ୍ଟର ଉଦୟ ନାରାୟଣ ଦେବଙ୍କ ପତ୍ନୀଙ୍କର ବହୁ ପୂର୍ବରୁ ପରଲୋକ ହୋଇଛି।

Advertisment

publive-image

ସୂଚନାଯୋଗ୍ୟ, ଉଦୟ ନାରାୟଣ ଦେବ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଉତ୍କଳ କଂଗ୍ରେସ ପାର୍ଟି, ୧୯୭୭ ରେ ସ୍ଵାଧୀନ ଓ ୧୯୮ ରେ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ। ସେ ଜଣେ ବିହଙ୍ଗ ବିଶେଷଜ୍ଞ ଭାବେ ବି ପରିଚିତ ଥିଲେ। କିଛି ଦିନ ତଳେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କ ରଚିତ ପୁସ୍ତକ ‘ବିହଙ୍ଗ ସଂହିତା’ ପୁସ୍ତକର ଉନ୍ମୋଚନ କରିଥିଲେ। ଉଦୟ ନାରାୟଣ ଦେବଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।