ଭୁବନେଶ୍ବର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ। ଏହି ଜୟନ୍ତୀ ଉତ୍ସବକୁ ଓଡ଼ିଆ ଜାତୀୟତାବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶିତ ହେବ। ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ସମାରୋହ ଏବଂ ୨୩, ୨୪ ଓ ୨୫ ତାରିଖରେ ଡ. ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜୟନ୍ତୀ ପାଳନ ପାଇଁ ଗଠିତ ଶୀର୍ଷ କମିଟିର ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବରରେ ନଭେମ୍ବର ୨୧ରୁ ୨୩ ଜୟନ୍ତୀ ସମାରୋହ
୩ ଦିନ ହେବ ଜାତୀୟ ଆଲୋଚନା ଚକ୍ର
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ମହତାବଙ୍କ ଭଳି ଜାତୀୟତାବାଦୀ ନେତାଙ୍କର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ। ମହତାବଙ୍କ ଉପରେ ଗବେଷଣା କରୁଥିବା ବ୍ୟକ୍ତିଙ୍କୁ ଅଧିକ ସୁଯୋଗ ଦିଆଯିବ। ତାଙ୍କ ପୁସ୍ତକକୁ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ପୁନଃ ପ୍ରକାଶିତ କରାଯିବ। ତାଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ମହତାବ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ ହଦଗଡ଼ ଓ ଭୁବନେଶ୍ବରରେ ତାଙ୍କର ସ୍ମାରକୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂହ, ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଶିବାନନ୍ଦ ରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ପକ୍ଷରୁ ପ୍ରଫେସର କିଶୋର କୁମାର ବାସା, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ସମ୍ପାଦକ ପ୍ରଫେସର ଉପେନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଭିନ୍ନ ଉପକମିଟି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/04/drXleHxCyPQxBj9bZd2x.jpg)