ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନା ସଂସ୍ଥା ସହ ଆଲୋଚନା: ପ୍ରସ୍ତୁତ ହେବ ଖାଦ୍ୟ ସୁରକ୍ଷା ରଣନୀତି ଖସଡ଼ା

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ ନୂଆ ଖାଦ୍ୟ ସୁରକ୍ଷା ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରଙ୍କ ସହଭାଗିତାରେ ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥା(ଡବ୍ଲ୍ୟୁଏଫ୍‌ପି) ୨୦୨୩-୨୭ ରଣନୀତି ଖସଡ଼ା ପ୍ରସ୍ତୁତ କରିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଶ୍ବ ଖାଦ୍ୟ ସୁରକ୍ଷା ଯୋଜନା ସଂସ୍ଥା ଓ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଜି ଡିଜିଟାଲ୍ ମୋଡ୍‌ରେ ପରାମର୍ଶମୂଳକ ଆଲୋଚନା କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଦାରିଦ୍ର୍ୟ କମାଇବା, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯେଭଳି ହେରଫେର୍‌ ହେବ ନାହିଁ, ପ୍ରତିଟି ସହାୟତା ଯେଭଳି ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚିବ ସେଥିପାଇଁ ଏଥିରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇଛି। ବିଗତ ଦିନରେ ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଅନେକ ସଫଳତା ମିଳିଛି। ଆସନ୍ତା ୫ ବର୍ଷ (୨୦୨୩-୨୦୨୭)ପାଇଁ ପ୍ରସ୍ତୁତ ହେବାକୁ ଥିବା ନୂଆ ରଣନୀତିରେ ଅଧିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେବା ସହ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି ଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଉନ୍ନୟନ କମିସନର ପ୍ରଦୀପ ଜେନା କହିଥିଲେ, ଆସନ୍ତା ୫ ବର୍ଷ ମଧ୍ୟରେ ନିରନ୍ତର ବିକାଶ ଲକ୍ଷ୍ୟ-୨(କ୍ଷୁଧା ଶୂନ୍ୟତା)ହାସଲ କରିବାକୁ ଯୋଜନା କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର କୃଷି ଉତ୍ପାଦନ ଓ ଖାଦ୍ୟ ଆବଶ୍ୟକତା ମାଳଭୂମି ଅଞ୍ଚଳ ଅଧିବାସୀଙ୍କଠାରୁ ଭିନ୍ନ। ଏଣୁ ରଣନୀତିରେ ଅଂଚଳ ଓ ସମୁଦାୟଭିତ୍ତିକ ପଦ୍ଧତି ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିସନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ମୁଥୁ କୁମାର, ମତ୍ସ୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଆର୍. ରଘୁ. ପ୍ରସାଦ ପ୍ରମୁଖ ଏ ବାବଦରେ ଅନେକ ପରାମର୍ଶ ଦେଇଥିଲେ। ଡବ୍ଲ୍ୟୁଏଫ୍‌ପିର ଜାତୀୟ ଜାତୀୟ ନିର୍ଦ୍ଦେଶକ ପୁର ଜୁଲି, ଉପନିର୍ଦ୍ଦେଶକ ଏରିକ୍ କେନେଫିକ୍ ଓ ରାଜ୍ୟ ଡବ୍ଲ୍ୟୁଏଫ୍‌ପି ମୁଖ୍ୟ ହିମାଂଶୁ ବଳ ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ବେସରକାରୀ ସଂସ୍ଥାର ପ୍ରତିନିଧି ଭାବେ ସିଓ୍ୱାଇଏସ୍‌ଡି ପ୍ରତିଷ୍ଠାତା ଜଗଦାନନ୍ଦ, ସ୍ୱାଭିମାନ (ଭିନ୍ନକ୍ଷମ ସଂପଦ କେନ୍ଦ୍ର)ର ନିର୍ଦ୍ଦେଶକ ଶ୍ରୁତି ମହାପାତ୍ର, ଟାଟା ସିଏସ୍‌ଆର ମୁଖ୍ୟ ଅନୀଲ୍ କୁମାର ପ୍ରମୁଖ ଖାଦ୍ୟ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ କୃଷି ଉତ୍ପାଦନ ପଦ୍ଧତି ଆଦି ବିଷୟରେ ନିଜ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର