ଭୁବନେଶ୍ବର : ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ‌ଦେଇ ରାଜ୍ୟ ସରକାର ବଜେଟ୍‌ର ୧୫ ପ୍ରତିଶତ ଅର୍ଥ ଶିକ୍ଷାକ୍ଷେତ୍ର ପାଇଁ ବିନିଯୋଗ କରୁଛନ୍ତି। ସେହି ଅନୁଯାୟୀ ଦେଖିଲେ କେନ୍ଦ୍ର ସରକାର କେନ୍ଦ୍ରୀୟ ବଜେଟ୍‌ର ମାତ୍ର ୩ ପ୍ରତିଶତ ଅର୍ଥ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଦେଉଛନ୍ତି। ଯାହାକି ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷା ଲାଗି ବିନିଯୋଗ ହେଉଛି। ଦେଶରେ ୮୦୦ରୁ ଅଧିକ ବିଶ୍ବବିଦ୍ୟାଳୟ, ୪୦ ହଜାରରୁ ଅଧିକ କଲେଜ ରହିଥିବାରୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଏହି ଅର୍ଥକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ‘ଚିଠା ଜାତୀୟ ଶିକ୍ଷାନୀତି-୨୦୧୯’ ପରାମର୍ଶଦାତା ବୈଠକରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

Advertisment

ଭୁବ‌ନେଶ୍ବରସ୍ଥିତ ଇମେଜ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସାହୁ କହିଲେ, ଏକ ସର୍ଭେରୁ ଜଣାପଡ଼ିଛି, ଦେଶର ୮୫% ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ଚାକିରି ପାଇଁ ଯୋଗ୍ୟ ନୁହଁନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ବି ସମାନ ଅବସ୍ଥା ରହିଛି। ତାହାକୁ ଦୃଷ୍ଟି‌ରେ ରଖି ଜାତୀୟ ଶିକ୍ଷାନୀତି ପାଇଁ ପ୍ରସ୍ତାବ ଦେବା ଆବଶ୍ୟକ। ବିଶେଷକରି ଓଡ଼ିଶାର ୨୫ପ୍ରତିଶତ ହେଉଛନ୍ତି ଆଦିବାସୀ। ‌ତେଣୁ ଶିକ୍ଷାନୀତି ପ୍ରସ୍ତୁତ କରିବା ସମୟରେ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କିଭଳି ବିକାଶ ହୋଇପାରିବ, ସେଥିପ୍ରତି ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ସାହୁ ଆହୁରି କହି‌ଲେ ଯେ ଉଚ୍ଚଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ମଡେଲ୍‌ ଡିଗ୍ରି କଲେଜ ପ୍ରତିଷ୍ଠା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ ବି ଲାଗୁ ହୋଇଛି। ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଅନୁପାତ ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଆସିବାକୁ ଥିବା ଶିକ୍ଷାନୀତିରେ ଉଲ୍ଲେଖ ଥିବା କିଛି ପ୍ରସ୍ତାବକୁ ଇତିମଧ୍ୟରେ ରାଜ୍ୟ ସରକାର ଲାଗୁ କରିସାରିଛନ୍ତି। ଆଉ ଯାହା କିଛି ଆବଶ୍ୟକତା ରହିଛି, ଓଡ଼ିଶା ପରିପ୍ରେକ୍ଷୀରେ ଚିଠା ଜାତୀୟ ଶିକ୍ଷାନୀତିରେ ସର୍ବୋତ୍ତମ ଓ ସୁଚିନ୍ତିତ ପ୍ରସ୍ତାବ ଦେବାକୁ ବିଶ୍ବବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷ, ଶିକ୍ଷାବିତ୍‌, ଶିକ୍ଷକ ସଙ୍ଗଠନ, ଅଭିଭାବକଙ୍କୁ ଆହ୍ବାନ କରିଥିଲେ। ଆଜିର ବୈଠକରେ ଆସିଥିବା ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରାଯିବା ପରେ ଜୁଲାଇ ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ କୁମାର ଦାସ ଚିଠା ପ୍ରସ୍ତାବ ଉପରେ କହିଲେ, ଦେଶରେ ଥିବା ୮୦୦ ବିଶ୍ବବିଦ୍ୟାଳୟ ଓ ୪୦ ହଜାର କଲେଜ ମଧ୍ୟରୁ ୧୫ ହଜାର ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ କରିବାକୁ ପ୍ରସ୍ତାବ ରହିଛି। ୨୦୩୦ ସୁଦ୍ଧା ଅଧ୍ୟାପକମାନଙ୍କ ସ୍ଥାୟୀ ନିଯୁକ୍ତି, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ୩୦:୧ କରିବା, ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌ ପାଠ୍ୟକ୍ରମ ପ୍ରଚଳନ ପରି ବିଭିନ୍ନ ବିଷୟରେ ଉଲ୍ଲେଖ ହୋଇଛି। ୪୮୪ ପୃଷ୍ଠା ବିଶିଷ୍ଟ ଶିକ୍ଷାନୀତି ମଧ୍ୟରୁ ପ୍ରାୟ ୩୦୦ପୃଷ୍ଠା କେବଳ ଉଚ୍ଚଶିକ୍ଷା ପାଇଁ ରହିଛି। ତାହାକୁ ତର୍ଜମା କରିବା ସହ ଓଡ଼ିଶାର ଭୌଗୋଳିକ ଓ ମାନବ ସମ୍ବଳ ସ୍ଥିତିକୁ ବିଚାର କରି କେନ୍ଦ୍ର ସରକାରଙ୍କୁ ସୁଚିନ୍ତିତ ମତାମତ ପ୍ରଦାନ କରାଯିବ ବୋଲି କହିଥିଲେ। ଉଚ୍ଚଶିକ୍ଷା ବିଭାଗ କମିସନର୍‌ ତଥା ଶାସନ ସଚିବ ଶାଶ୍ବତ ମିଶ୍ର ଯୋଗଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଅବତାରଣା କରିଥିବା ବେଳେ ବିଭାଗୀୟ ନିର୍ଦେଶକ ନିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

‌ବୈଠକରେ ଯୋଗ ଦେଇଥିବା ଶିକ୍ଷାବିତ୍‌ ଓ ଶିକ୍ଷକ ସଙ୍ଗଠନର ସଦସ୍ୟମାନେ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି, ଗବେଷଣା, ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା, କ୍ୟମ୍ପସକୁ ଡିଜିଟାଲାଇଜ୍‌ କରିବା, ଗ୍ରାମାଞ୍ଚଳ ଉପଯୋଗୀ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାକୁ ମତ ଦେଇଥିଲେ।