ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ: ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା ସଂରକ୍ଷିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆଜି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ୪ ଜିଲ୍ଲା ସଂରକ୍ଷିତ ରଖାଯାଇଛି। ଏଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୨ଟି ଜିଲ୍ଲାକୁ ଅଣସଂରକ୍ଷିତ ରଖାଯାଇଛି। ସେଗୁଡ଼ିକ ହେଲା କଳାହାଣ୍ଡି, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଗଂଜାମ, ଦେବଗଡ଼, ନୂଆପଡ଼ା ଓ ପୁରୀ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୯୧ ମସିହା ଓଡିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା ୩ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବିଗୁଡିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ ଚିଠା ଉକ୍ତ ଧାରାର ଉପଧାରା ୫ ଅନୁସାରେ କରାଯାଇଛି। ତା ସହିତ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣଙ୍କ ଏନେଇ ଅଭିଯୋଗ କିମ୍ବା ପରାମର୍ଶ କରିପାରିବେ। ଅଭିଯୋଗ ଓ ପରାମର୍ଶ ମିଳିବା ପରେ ଏହାକୁ ବିଚାରକୁ ନେଇ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର