ଓଡ଼ିଶାରେ ହେବ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ

ଭୁବନେଶ୍ୱର : ଓଡ଼ିଶାରେ ହେବ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୬ଟି କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ଚାଷ କରାଯିବ। ପରବର୍ତୀ ସମୟରେ ରାଜ୍ୟର ଅନ୍ୟ କୃଷି ବିଜ୍ଞାନ କେନ୍ଦ୍ର ସମେତ ଚାଷୀଙ୍କୁ ବି ପ୍ରୋତ୍ସାହିତ କରାଯିବ। ରାଜ୍ୟ ସରକାର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ମିଳିତ ଭାବେ ଏଦିଗରେ ପଦକ୍ଷେପ ନେଇଛନ୍ତି। ଏହା ଏକ କାକ୍‌ଟସ୍‌ ଜାତୀୟ ଉଦ୍ଭିଦ। ଗଛ ଲଗାଇବାର ୩ ବର୍ଷ ପରେ ହେକ୍ଟର ପିଛା ବର୍ଷକୁ ପ୍ରାୟ ୧୦ରୁ ୧୨ ଟନ୍‌ ଫଳ ଉତ୍ପାଦିତ ହେବ। ଏହି ଫଳରୁ ଜାମ୍‌, ଜେଲି, କ୍ୟାଣ୍ଡି ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ।

ଓୟୁଏଟି କୁଳପତିି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଶୁଖିଲା ଓ ଢିପ ଜମିରେ ଏହି ଫଳ ଭଲ ହୁଏ। ତାହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପୁଣେରୁ ପ୍ରଥମ ଥର ଲାଗି ଓଡ଼ିଶାକୁ ଚାରା ଅଣାଯାଇଛି। ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଚିପିଲିମାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଚାଷ କରାଯିବ। ଏଥିସହ ରାଜଭବନରେ ବି ଏହି ଗଛ ଲଗିବ। କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ଢିପ ଜମିରେ କୃଷକମାନେ ଏହାକୁ ଚାଷ କରିପାରିବେ। ଗଛରୁ ବାହାରୁଥିବା ଫଳ ଗୋଟା ଅଧ କିଲୋ ଓଜନ ରହୁଛି। ୩୦ ବର୍ଷ ଯାଏ ଏହି ଗଛ ବଞ୍ଚିବ। ଔଷଧୀୟ ଗୁଣ ମଧ୍ୟ ଭଲ ରହିଛି। ଅଢ଼େଇ ହେକ୍ଟର ଜମିରେ ଚାଷ କଲେ ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗଛ ଯେତେ ବଢ଼ିିବ ସେତେ ଅଧିକ ଭଲ ହେବ। ଏହାର କିଲୋ ପିଛା ମୂଲ୍ୟ ବଜାରରେ ୩୦୦ ଟଙ୍କା ରହୁଛି। ଏହି ଚାଷ କରିବା ଦ୍ୱାରା ଚାଷୀ ବେଶ୍‌ ଲାଭବାନ ହୋଇପାରିବେ ବୋଲି କୁଳପତି କହିଛନ୍ତି। ଆଜି ଓୟୁଏଟି ପରିସରରେ ଡ୍ରାଗନ୍‌ ଫ୍ରୁଟ୍‌ ଗଛ ରୋପଣ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୁଳପତି ପ୍ରଫେସର ପଶୁପାଳନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା କେନ୍ଦ୍ରୀୟ ପାଠାଗାରର ନବୀକରଣ କରାଯାଇଛି। ପାଠାଗାରକୁ ଡିଜିଟାଇଜ୍‌ଡ କରାଯିବା ପରେ ଉଦ୍‌ଘାଟିତ ହୋଇଛି। ‘କୋହା’ ନାମକ ପାଠାଗାର ପରିଚାଳନା ସଫ୍ଟେଓ୍ଵର ମାଧ୍ୟମରେ ବିଭିନ୍ନ ପୁସ୍ତକ, ପତ୍ରପତ୍ରିକା ଆଦି ତଥ୍ୟ ସହଜରେ ଉପଲବ୍ଧ ହୋଇପାରିବ। ଭାରତୀୟ କୃଷି ଗବେଷଣା ପରିଷଦର ନିର୍ଦ୍ଦେଶାବଳୀ ଅନୁସାରେ ଏହି ସଫ୍ଟଓୟାର ସ୍ଥାପିତ ହୋଇଛି।

ସଚିବ ଶ୍ରୀ ଗର୍ଗ ଆଜି ବିଶ୍ୱବିଦ୍ୟାଳୟର ଉଦ୍ୟାନ ବିଜ୍ଞାନ ଗବେଷଣା କେନ୍ଦ୍ର ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଚିବଙ୍କୁ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇଥିଲା। ସାମ୍ପ୍ରତିକ ଚାହିଦା ଅନୁସାରେ ପାଠ୍ୟ ଖସଡ଼ାରେ ପରିବର୍ତନ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ କେନ୍ଦ୍ର ସ୍ଥାପନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କଲେଜ ସମସ୍ତ ଅଧ୍ୟକ୍ଷ, ନିର୍ଦ୍ଦେଶକ, କୁଳସଚିବ, କମ୍ପ୍‌ଟ୍ରୋଲର, ବିଭିନ୍ନ ବିଭାଗର ମୁଖ୍ୟ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର