ଫୁଲବାଣୀ : କନ୍ଧମାଳରେ ନୂଆକରି ଆରମ୍ଭ ହେବାକୁ ଯାଉଛି ଡ୍ରାଗନ ଫଳ ଚାଷ। ଜିଲ୍ଲାପାଳ ଡ. ବୃନ୍ଦା ଡି. କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଏହି ଫଳ ଚାଷ ଆରମ୍ଭ କରିବାକୁ ଜିଲ୍ଲା ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରାଗନ ଫଳ ଚାଷ ପାଇଁ କନ୍ଧମାଳ ଜିଲ୍ଲାର ମାଟି ଏବଂ ପରିବେଶ ଅନୁକୁଳ ହେବ ବୋଲି ଆଶା କରାଯାଉଛି। ଏଣୁ ପରୀକ୍ଷାମୂଳକ ଭାବେ ଡ୍ରାଗନ ଫଳ ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଫୁଲବାଣୀ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କବିତା ରଥ ସୂଚନା ଦେଇଛନ୍ତି।
ଚଳିତବର୍ଷ ପରୀକ୍ଷାମୂଳକ ଭାବେ ପ୍ରାୟ ୨୦ ହେକ୍ଟର ଜମିରେ ଡ୍ରାଗନ ଫଳ ଚାଷ କରାଯିବ। କନ୍ଧମାଳ ଜିଲ୍ଲାରେ ଆମ୍ବ ଓ ପଣସ ଉତ୍ପାଦନ ସମସ୍ତ ପ୍ରକାର ରେକର୍ଡ ଭାଙ୍ଗି ଦେଇଥିବାବେଳେ ଏହି ଦୁଇ ଫଳ ଚାଷକୁ କମାଇ ଏହା ବଦଳରେ ଡ୍ରାଗନ୍ ଫଳ, ଜାମୁକୋଳି, ଲିଚୁ, ଲେମ୍ବୁ, ଅମୃତଭଣ୍ଡା, ଷ୍ଟ୍ରବେରୀ, ଡାଳିମ୍ବ ଭଳି ଫଳ ଚାଷ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଏଣୁ ଚଳିତବର୍ଷ ଆମ୍ବ ଚାରା ରୋପଣକୁ କମ୍ କରାଇ ଏହା ବଦଳରେ ଏସବୁ ଫଳ ଚାଷ କରାଯିବ।
୨୦୨୧-୨୨ କୃଷି ବର୍ଷରେ ପ୍ରାୟ ୨୦ ହେକ୍ଟର ଜମିରେ ଡ୍ରାଗନ ଫଳ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ୫୦୦ ହେକ୍ଟର ଜମିରେ ଆମ୍ବ ଚାଷ, ୧୦୦ ହେକ୍ଟର ଜମିରେ ଲିଚୁ, ୨୫୦ ହେକ୍ଟର ଜମିରେ କାଜୁ, ୨୦ ହେକ୍ଟର ଜମିରେ ଲେମ୍ବୁ, ୧୦ ହେକ୍ଟର ଜମିରେ ଅମୃତଭଣ୍ଡା, ୧୦ ହେକ୍ଟର ଜମିରେ ଜାମୁକୋଳି, ୨୦ ହେକ୍ଟର ଜମିରେ କଦଳୀ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ରାଜ୍ୟରେ କନ୍ଧମାଳ ଜିଲ୍ଲାକୁ ପାଇଲଟ୍ ଜିଲ୍ଲା ଭାବେ ବଛାଯାଇଛି। ଡ୍ରାଗନ ଫଳ ଔଷଧୀୟ ଗୁଣ ରହିଥିବାରୁ ଓଡ଼ିଶାରେ ଏହାର ଚାଷ ପାଇଁ ସରକାର ଯୋଜନା କରୁଛନ୍ତି। ତେବେ ସରକାର କନ୍ଧମାଳ ଜିଲ୍ଲାକୁ ଡ୍ରାଗନ ଫଳ ଚାଷ ପାଇଁ ପାଇଲଟ୍ ଜିଲ୍ଲା ଭାବେ ଚୟନ କରିଛନ୍ତି। ଡ୍ରାଗନ ଫଳ ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥିବାବେଳେ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବଜାରରେ ଏହି ଫଳର ଚାହିଦା ବହୁତ ରହିଛି। ଭାରତରେ ଡ୍ରାଗନ ଫଳର କିଲୋ ପ୍ରତି ମୂଲ୍ୟ ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି।