ନୟାଗଡ଼: ରାଜଧାନୀରେ ମୁକୁଳା ଡ୍ରେନରେ ଭାସିଯିବା ଯୋଗୁ ଜଣେ ନାବାଳକର ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା। ଏହାକୁ ବେଶ୍ ଗୁରୁତ୍ବ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପୌରପାଳିକାକୁ ତୁରନ୍ତ ମୁକୁଳା ପଡ଼ିଥିବା ଡ୍ରେନଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ପୌର ପରିଷଦ ପକ୍ଷରୁ ନୟାଗଡ଼ର ସମସ୍ତ ୧୬ଟି ୱାର୍ଡରେ ଥିବା ଡ୍ରେନଗୁଡ଼ିକୁ ଯନ୍ତ୍ରୀମାନେ ପରିଦର୍ଶନ କରି ଏହାର ଏକ ତାଲିକା ପ୍ରସ୍ତୁତ କରିଥିଲେ। କେଉଁଠି କେଉଁଠି ଡ୍ରେନଗୁଡ଼ିକ ମୁକୁଳା ପଡ଼ିଛି, ଏ ନେଇ ଏକ ରିପୋର୍ଟ ସେମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ ମଧ୍ୟ କରିଥିଲେ। ଇତି ମଧ୍ୟ‌ରେ ଏହାକୁ ଚାରି ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏନେଇ ପ୍ରଶାସନିକ ସ୍ତରରେ କିଛି ବି ପଦକ୍ଷେପ ନିଆଯାଉନାହିଁ।

Advertisment

ମିଳିଥିବା ସୂଚନା ମୁତାବକ, ସହରରେ ପିଡବ୍ଲୁଡି, ପୌର ପରିଷଦ ଓ ଡ୍ରେନେଜ୍ ବିଭାଗ ଅଧୀନରେ ଥିବା ଡ୍ରେନଗୁଡ଼ିକର ସର୍ଭେ କରାଯାଇଥିଲା। ସେଥିମଧ୍ୟରୁ ଏହି ତିନି ବିଭାଗର ୭.୬୭ କିମି ଲମ୍ବ ଡ୍ରେନ୍ ମୁକୁଳା ପଡ଼ିଥିବା ଆକଳନ କରାଯାଇଛି। ୱାଡ-୧୨ ଦେବୋତ୍ତର କଲୋନି ନିକଟରେ ଯାଇଥିବା ପିଡବ୍ଲୁଡି ବିଭାଗର ଡ୍ରେନଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଏହି ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ବିଭାଗକୁ ଚିଠି ଲେଖି ପୌର ପରିଷଦ ପକ୍ଷରୁ ଅବଗତ କରାଯାଇଛି। ଏହାସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ମୁକୁଳା ପଡ଼ିଥିବା ଡ୍ରେନ ଉପରେ ସ୍ଲାବ୍ ପଡ଼ିବ ସେ ‌ନେଇ ପଦକ୍ଷେପ ନିଆଯିବ ବୋଲି ପୌର ପରିଷଦ ପକ୍ଷରୁ କୁହାଗଲା। ମାତ୍ର ବର୍ଷା ଋତୁ ଶେଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ମୁକୁଳା ଡ୍ରେନରେ ସ୍ଲାବ୍ ପଡ଼ିଲା ନାହିଁ। ନୟାଗଡ଼ ସହରରେ ଏକାଧିକ ୱାର୍ଡରେ ଡ୍ରେନ୍ ମୁକୁଳା ପଡ଼ିଥିବା ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହା ସହ ବଡ଼ ବଡ଼ ବିଲ୍ଡିଂର ବର୍ଜ୍ୟ ଜଳ, ଏମିତିକି ପାଇଖାନା ପାଇପ୍‌କୁ ମଧ୍ୟ କିଛି ବ୍ୟକ୍ତି ଓ ଅନୁଷ୍ଠାନ ଡ୍ରେନ୍‌କୁ ଛାଡ଼ି ଦେଇଛନ୍ତି। ଫଳରେ ବିଭିନ୍ନ କଲୋନିରେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ରହୁଥିବା ଲୋକମା‌ନଙ୍କର ଚଳିବା ମୁସ୍କିଲ ହୋଇଛି।

ଦୀର୍ଘ ଦିନ ଧରି ନୟାଗଡ଼ ପୌରପାଳିକାରେ ଏମିତି ଅବସ୍ଥା ଲାଗି ରହିଛି। ପ୍ରତ୍ୟେକ ପୌରପାଳିକାରେ ଏ ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଏକ ସ୍କ୍ବାଡ୍ ବ୍ୟବସ୍ଥା ରହିଛି। ସହରର ପରିମଳ ବ୍ୟବସ୍ଥାକୁ ବିଗାଡ଼ୁଥିବା ଲୋକମାନଙ୍କ ଉପରେ ଏହି ସ୍କ୍ବାଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ମାତ୍ର ନୟାଗଡ଼ ପୌରପାଳିକାରେ ସେମିତି କୌଣସି ବ୍ୟବସ୍ଥା ନାହିଁ। ଏହାର ସୁଯୋଗ ନେଇ ଲୋକମାନେ ଘରର ବର୍ଜ୍ୟ ଜଳକୁ ସିଧାସଳଖ ପାଇପ୍‌ ଲଗାଇ ଡ୍ରେନକୁ ଛାଡ଼ି ଦେଉଛନ୍ତି। ନୟାଗଡ଼ ସହରରେ ଏକାଧିକ କୋଚିଂ ସେଣ୍ଟର, ଘରୋଇ ଆ‌ବାସିକ ସ୍କୁଲ ଓ କଲେଜ ରହିଛି। ଏହାର ଛାତ୍ରଛାତ୍ରୀମାନେ ରହୁଥିବା ହଷ୍ଟେଲଗୁଡ଼ିକର ମାଲିକମାନେ ନିୟମ ଉଲ୍ଲଂଘନ କରି ଏମିତି କରୁଥିବା ଦେଖିବାକୁ ମିଳୁଛି।

ଏ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ କେଉଁ ୱାର୍ଡରେ ଡ୍ରେନଗୁଡ଼ିକ ମୁକୁଳା ପଡ଼ିଛି, ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପରେ କାହାର କେତୋଟି ଡ୍ରେନ୍ ରହିଛି, ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଏହି ‌ମୁକୁଳା ପଡ଼ିଥିବା ଡ୍ରେନଗୁଡ଼ିକୁ ବନ୍ଦ କରିବା ପାଇଁ କେତେ ଖର୍ଚ୍ଚ ହେବ, ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।