ପୁରୀ : ପୌରପାଳିକା ଓ ସ୍ବେରେଜ ବିଭାଗର ଅପାରଗତା ଆଜି ଧରାପଡ଼ିଛି। ନାଳପାଣି ଆଜି ପବିତ୍ର ଶରଧାବାଲିକୁ ଅପବିତ୍ର କରିଛି। ସେପଟେ ୧୦ ଦିନ ଧରି ଚାଲିଥିବା ୨୭ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ବି ଶେଷ ଦିନରେ ନାଳପାଣିରେ ଭାସିଛି। ପାଠକ ନାଳପାଣିରେ ଆଉଟୁପାଉଟୁ ହୋଇଛନ୍ତି। ଯେଉଁଠି ମଞ୍ଚ ଉପରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନେ ଅତିଥି ଭାବେ ବସିଥିଲେ, ସେଠି ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଏହି ଅବସ୍ଥା ପ୍ରଶାସନର ପରିମଳ ପରିଚାଳନା କ୍ଷେତ୍ରରେ ସ୍ଥାଣୁତାକୁ ପ୍ରତିପାଦିତ କରୁଛି। ଏହାକୁ ନେଇ ବୁଦ୍ଧିଜୀବୀ, ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଶରଧାବାଲି ଉପରେ ଚାଲିଥିବା ୨୭ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଗୁରୁବାର ଥିଲା ଉଦ୍ଯାପନୀ ଉତ୍ସବ। ଯେହେତୁ ଶେଷ ଦିନ ଥିଲା, ଅଧିକ ପାଠକ ଏଠାରେ ଭିଡ଼ ଲଗାଇବେ ବୋଲି ଆଶା ଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପ୍ରକାଶକମାନେ ଆଜି ଭଲ ବେପାର କରିବେ ବୋଲି ଆଶା ରଖିଥିଲେ। ସକାଳୁ ବି ଭିଡ଼ ଅଧିକ ରହିଥିଲା। ସଂଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ ପରେ ପୁସ୍ତକ ମେଳା ଷ୍ଟଲ୍ରେ ବି ଭିଡ଼ ଆରମ୍ଭ ହୋଇଯାଇଥିଲା। କିନ୍ତୁ ହଠାତ୍ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖ ଚାମ୍ବର ଠେଲି ପ୍ରବଳ ମାତ୍ରାରେ ନାଳପାଣି ଭାସିଥିଲା। ଦେଖୁଦେଖୁ ପୂରା ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପଡ଼ିଆ ନାଳ ପାଣିରେ ଭରି ଯାଇଥିଲା। ସବୁ ଷ୍ଟଲ ଆଗରେ ନାଳପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଥିଲା। ତଳେ ପଡ଼ିଥିବା ଦରି ଉପରେ ପାଦେ ଉପରେ ପାଣି ଚାଲିଥିଲା। କିଛି ଷ୍ଟଲ୍ର ଲୋକେ ତଳେ ପଡ଼ିଥିବା ଦରିକୁ ଉଠାଇ ପାଣି କାଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ।
ସେହିଭଳି ପାଣି ଶରଧାବାଲିରେ ଭାସିଥିଲା। ଯେଉଁଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା। ସେପଟେ ଷ୍ଟଲ୍ ପକାଇଥିବା ବ୍ୟକ୍ତିଙ୍କ ବହି, ଆସବାବପତ୍ର ଓଦା ହୋଇଯିବାରୁ ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ବି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କମିଟିର କର୍ମକର୍ତ୍ତା କହିଛନ୍ତି, ନାଳପାଣି ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଭିତରେ ଭାସିବା ଦୁର୍ଭାଗ୍ୟଜନକ। ପୌରପାଳିକା, ସ୍ବେରେଜ୍ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା କଥା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ଆଜି ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ସେପଟେ ପୁସ୍ତକ ମେଳାକୁ ଆସିଥିବା କିଛି ପାଠକ ଏନେଇ ପ୍ରତିକ୍ରିୟା ଦେଇ ଶରଧାବାଲିର ଦୃଶ୍ୟ ପୁରୀ ପୌରପାଳିକାରେ ଡ୍ରେନେଜ୍ ପରିଚାଳନାରେ ଥିବା ତ୍ରୁଟିକୁ ଧରା ପକାଇ ଦେଇଛି ବୋଲି କହିଛନ୍ତି।