କାଳିଆପାଣି: କଲୋନିରେ ଦୀର୍ଘଦିନରୁ ସଂରକ୍ଷିତ ହୋଇ ରହିଥିବା ଦୁର୍ଗନ୍ଧଯୁକ୍ତ ପାଣି ଗାଁ ଭିତରକୁ ଛଡ଼ାଯିବାକୁ ନେଇ ଆଜି କାଳିଆପାଣି ଗ୍ରାମବାସୀ ଇମ୍ଫା ମହାଗିରି ଏନକ୍ଲେଭ୍ କଲୋନି ମୁଖ୍ୟ ଫାଟକରେ ହୋହଲ୍ଲା କରିଛନ୍ତି। ଗାଁ ମୁଖିଆ ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ସରପଞ୍ଚ ବିକାଶ କୁମାର ପାତ୍ର, ସମାଜସେବୀ ଆଶିଷ କୁମାର ଜେନା, ବିଶ୍ବଜିତ ମହାନ୍ତ, ସୁବାସିନୀ ମହାନ୍ତଙ୍କ ନେତୃତ୍ବରେ ୫୦ ରୁ ଅଧିକ ମହିଳା ଏହି ଫାଟକ ବାଟେ କଲୋନିକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ନିରାପତ୍ତାରକ୍ଷୀ ଫାଟକ ବନ୍ଦ୍ କରି ସେମାନଙ୍କୁ ବାଧା ଦେଇଥିଲେ। କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ଅନିଛାକୃତ ତ୍ରୁଟି ପାଇଁ ଇମ୍ଫା କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଥିଲେ। ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀରଙ୍କ ମଧ୍ୟସ୍ଥତାରେ ଇମ୍ଫା କ୍ଲବରେ ଗାଁ ପ୍ରତିନିଧି ଓ ଇମ୍ଫା କର୍ତ୍ତୃପକ୍ଷଙ୍କୁ ନେଇ ଏକ ଦ୍ବିପାକ୍ଷିକ ସମାଧାନ ବୈଠକ ବସିଥିଲା। ଇମ୍ଫା ପକ୍ଷରୁ କାର୍ମିକ ଉପମହାପ୍ରବନ୍ଧକ ଦ୍ୟୁତିରାଜ ଦଗଦାନନ୍ଦ ନାୟକ, ମାନବ ସମ୍ବଳ ପ୍ରବନ୍ଧକ ଗିରୀଶ କୁମାର ପଟ୍ଟନାୟକ, ଲୋକସଂପର୍କ ପ୍ରବନ୍ଧକ ପ୍ରଭାତ କୁମାର ସିଂହ ଓ ମିଲନ ରଞ୍ଜନ କର ଉପସ୍ଥିତ ରହି ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ବରଂ ବର୍ଜ୍ୟଜଳକୁ ବିଶୋଧନ ପରେ ଡ୍ରେନ ଜରିଆରେ ଅନୁକୂଳ ପରିବେଶ ଥିବା ସ୍ଥାନରେ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
Follow Us