ଧର୍ମଶାଳା : ଲଘୁଚାପ ବର୍ଷା ସମୟରେ ଧର୍ମଶାଳା-କବାଟବନ୍ଧ ରାସ୍ତାର ଜାରକା ବଜାର ଜାମୁବଣିଆ ନିକଟରେ ଡ୍ରେନ୍ ନିର୍ମାଣ ହେଉଛି। ବର୍ଷାବେଳେ ରାସ୍ତା ମଝିରେ ହେଉଛି କଂକ୍ରିଟ୍ କାମ। ବର୍ଷାରେ ସିମେଣ୍ଟ ଧୋଇ ହୋଇ ଯାଉଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ଡ୍ରେନ୍ ନିର୍ମାଣ ପାଇଁ ଏଠାରେ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ହଠାତ୍ ରାସ୍ତା ବନ୍ଦ ଦେଖି ଲୋକମାନେ ଜାରକା ଷ୍ଟାଡ଼ିୟମ୍ ଓ ପଣ୍ତୁଆ ଶିଳ୍ପାଞ୍ଚଳ ରାସ୍ତାରେ ଯାତାୟାତ କରୁଛନ୍ତି। ରାତିରେ ରାସ୍ତା ଜାଣି ନପାରି ବହୁ ଲୋକ ହଇରାଣ ହେଉଛନ୍ତି। ଏହା ଜାରକାର ମୁଖ୍ୟ ରାସ୍ତା ହୋଇଥିବା ବେଳେ ବନ୍ଦ କରି ଦିଆ ଯାଇଥିବାରୁ ଗାଡ଼ିମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି।
ଜାରକାରେ ଡ୍ରେନେଜ ସମସ୍ୟା କଥା ନକହିବା ଭଲ। ଅସରାଏ ବର୍ଷା ହେଲେ ଜାରକା ଓ ଏହାର ଆଖପାଖ ରାସ୍ତାରେ ବର୍ଷାପାଣି ଲହଡ଼ି ମାରୁଛି। ଡ୍ରେନ୍ ହୋଇନଥିବାରୁ ଧର୍ମଶାଳା କଲେଜ୍ ନିକଟ ଓ ଷ୍ଟାଡିୟମ ଯିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ଏ ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଯଦିଓ ଡ୍ରେନ୍ ନିର୍ମାଣ ହେଉଛି, ତାହା ପୁଣି ବର୍ଷାଦିନେ। ବିନା ହାଉସିଂ ପ୍ଲାନିଂରେ ଘର ଓ ପାଚେରି ନିର୍ମାଣ ହୋଇଥିବାରୁ ବର୍ଷାପାଣି ଯିବା ରାସ୍ତା ବନ୍ଦ ହୋଇଯାଉଛି। ଏଥିପାଇଁ ତଳିଆ ଜାଗାରେ ଥିବା ଦୋକାନ ଓ ବାସଗୃହରେ ନର୍ଦମା ପାଣି ପଶିଯାଉଛି। ବର୍ଷାଋତୁ ଆସିବା ପୂର୍ବରୁ ଡ୍ରେନ୍ ନିର୍ମାଣ ନସାରି ଲଘୁଚାପ ବେଳେ ରାସ୍ତା ବନ୍ଦ କରାଯାଇ ଡ୍ରେନ୍ କାମ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ନିୟମାନୁସାରେ ବର୍ଷାପାଣି ନିଷ୍କାସନ ପାଇଁ ରାସ୍ତା ପାର୍ଶ୍ବରେ ଡ୍ରେନ୍ ହେବାକଥା। ହେଲେ ଦାୟିତ୍ବରେ ଥିବା ଠିକାଦାର କିମ୍ବା ରାଜନେତା କେହି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ବର୍ଷାପାଣି ନିଷ୍କାସନ ପାଇଁ ୧୦ବର୍ଷ ପୂର୍ବେ ବଜାର ପଛପଟେ ଡ୍ରେନ୍ ନିର୍ମାଣ ହୋଇଥିଲା। ଏଥିରେ ରାସ୍ତା ପାଣି ନିଷ୍କାସିତ ହୋଇ ପାରିନଥିଲା। ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିହୀନତା ପାଇଁ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡ଼ିଥିଲା। ଏବେ ଲୋକମାନେ ନିଜ ଜମିକୁ ଉଚ୍ଚ କରିଦେବା ସହିତ ପାଣି ଯିବା ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ଏପରିକି ସରକାରୀ ଜମି ଜବରଦଖଲ କରି ବିନା ଅନୁମତିରେ କୋଠା ନିର୍ମାଣ କରୁଛନ୍ତି। ଯାହାର ଫଳ ଭୋଗୁଛନ୍ତି ଜନ ସାଧାରଣ।