ବାଲେଶ୍ବର ଜଳସେଚନ ଓ ଡ୍ରେନେଜ୍‌ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆଗକୁ ମୌସୁମୀ ଋତୁ ଆସୁଛି। ବର୍ଷା ଋତୁରେ ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏକ ସମୀକ୍ଷା ବୈଠକ କରି ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କ୍ଷୁଦ୍ର ଜଳସେଚନ, ଉଠା ଜଳ ସେଚନ ପ୍ରକଳ୍ପ ମରାମତି, ରକ୍ଷଣାବେକ୍ଷଣ ଓ ନୀଳଗିରି ଏନ୍‌ଏସିରେ ଡ୍ରେନେଜ୍‌ ବ୍ୟବସ୍ଥାର ଉନ୍ନତିକରଣ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି।

ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ବାଲେଶ୍ବର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଆଲୋଚନା ହୋଇଥିଲା। ଏହାକୁ ଆଧାର କରି ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। କେବଳ ବାଲେଶ୍ବର ନୁହେଁ, ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଜଳ ସେଚନ, ଡ୍ରେନେଜ୍‌ ବ୍ୟବସ୍ଥାର ଉନ୍ନତି ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜଳ ନିଷ୍କାସନ ସମସ୍ୟା ସମାଧାନ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବାଲେଶ୍ବର ଜଳସେଚନ ଡିଭିଜନ୍‌ ଅନ୍ତର୍ଗତ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀବନ୍ଧ ଉନ୍ନତିକରଣ , ଓଡ଼ିଶା ଡଟ୍‌ (କୋଷ୍ଟ୍‌) କେନାଲର ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ସାଳନ୍ଦୀ କେନାଲ ଡିଭିଜନ୍‌, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ କେନାଲ୍‌ ମରାମତି କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ। ବାଲେଶ୍ବର ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ କାଂସବାଂଶ ନଦୀ ଅଞ୍ଚଳ ମଧ୍ୟରେ ରହୁଥିବା ଡ୍ରେନେଜ୍‌ କାର୍ଯ୍ୟ, ବାଲେଶ୍ବର ସହରାଞ୍ଚଳରେ ଡ୍ରେନେଜ୍‌ କାର୍ଯ୍ୟ, ଚେକ୍‌ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟକୁ ସବୁକୁ ତ୍ବାରାନ୍ବିତ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଓ ବିଧାୟକମାନଙ୍କର ପରାମର୍ଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ସୋର ବିଧାୟକ ପର୍ଶୁରାମ ଧଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ଜଳ ସମ୍ପଦ ବିଭାଗର ପ୍ରମୁଖ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର