ବଢ଼ୁଛି ଜଳ ନିଷ୍କାସନ ଚିନ୍ତା: ନଦୀ ଓ କେନାଲ ଦଳ ଭର୍ତ୍ତି, ଭାର୍ଗବୀ ନଦୀ ବନ୍ଧ ମୁକୁଳା

ବ୍ରହ୍ମଗିରି: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହିତ ଉପରମୁଣ୍ଡରେ ମଧ୍ୟ ବର୍ଷା ଯୋଗୁଁ ବ୍ରହ୍ମଗିରି ଅଞ୍ଚଳ ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ଏହି ଅଞ୍ଚଳର ପ୍ରାୟ ସମସ୍ତ ନଦୀ ନାଳ ଦଳରେ ଭର୍ତ୍ତି ହୋଇଯାଇଥିବାରୁ ଜଳ ସମୁଦ୍ରକୁ ସହଜରେ ନିଷ୍କାସନ ହେବାରେ ବାଧା ଉପୁଜିପାରେ। ଫଳରେ ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହାକୁ ନେଇ ବ୍ରହ୍ମଗିରିବାସୀଙ୍କ ପାଇଁ ଚିନ୍ତା ବଢିଛି। ବ୍ରହ୍ମଗିରିରେ ଆଜି ସକାଳୁ ବର୍ଷା ଆରମ୍ଭ ହୋଇଛି। ଅପରାହ୍ନରେ ବର୍ଷାର ପରିମାଣ ବଢିଛି। ଅନ୍ୟପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଦେଇ ଯାଇଥିବା ଭାର୍ଗବୀ, ଲୁଣା ଓ ରତ୍ନଚିରା ନଦୀରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ନେଇ ଚିନ୍ତା ବଢିଛି। ଏହି ସବୁ ପ୍ରମୁଖ ନଦୀ ବ୍ରହ୍ମଗିରି ବ୍ଲକ୍ ଦେଇ ଚିଲିକାରେ ପଡିଛି। ଏହା ସହିତ ଏହି ନଦୀକୁ ସଂଯୋଗ କରୁଥିବା ସମସ୍ତ କେନାଲ ମଧ୍ୟ ଚିଲିକାରେ ମିଶିଛି। କିଲୋମିଟର କିଲୋମିଟର ବ୍ୟାପି ଦଳ ସବୁ ଭର୍ତ୍ତି ହୋଇ ରହିଛି। ନିଷ୍କାସନ ବାଟ ସବୁ ବନ୍ଦ କରି ରଖିଛି।

ପ୍ର‌େତ୍ୟକ ସେତୁ, କଭେର୍ଟ ପୁରା ଦଳ ଯୋଗୁ ଜାମ୍‌ ହୋଇ ରହିଛି। ଡ୍ରେନେଜ୍‌ ବିଭାଗ ପୂର୍ବ ପ୍ରସ୍ତୁତି ନ ଥିବାରୁ ଚିନ୍ତା ବଢ଼ିଛି। ଅନ୍ୟପଟେ ଭାର୍ଗବୀ ନଦୀର ବ୍ରହ୍ମଗିରି ବ୍ଲକ୍‌ର ତିନିକୁଦି ଠାରେ ବର୍ଷ ବର୍ଷ ଧରି ବିଜୁସେତୁ ନିର୍ମାଣ ଚାଲିଛି। ଏଠାରେ ସେତୁ ନିର୍ମାଣ ତ ଶେଷ ହୋଇ ନାହିଁ। କେତୋଟି ଅଧାଗଢା ପିଲାରରେ ଏହା ଅଟକି ରହିଛି। କିନ୍ତୁ ନଦୀ ବନ୍ଧ କଡ଼ରୁ ମାଟି ଖୋଳା ହୋଇ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ତିନିକୁଦି ଠାରେ ପୁରୀ ପଟକୁ ଏହି ନଦୀ ବନ୍ଧ ଦୁର୍ବଳ ହୋଇଛି। ଗତ ବର୍ଷ ବନ୍ୟା ଜଳ ନଦୀରେ ଯିବା ବେଳେ ଅତ୍ୟନ୍ତ ବିପଦ ଦେଖା ଦେଇଥିଲା। ଏଠାରେ ବାଲିବସ୍ତା ପକାଯାଇ ଘଳିଆ ରୋକାଯିବା ସହିତ ବର୍ଷା ହଠାତ୍ କମିଯିବାରୁ ବଡ଼ ବିପଦ ଟଳି ଯାଇଥିଲା। ଦୀର୍ଘ ବର୍ଷ ହେଲାଣି ସେମିତି ନଦୀ ବନ୍ଧମୁକୁଳା ପଡି ରହିଛି। ଯଦି ବନ୍ୟା ଜଳ ଆସେ କିମ୍ବା ବଡ ବର୍ଷା ହୁଏ ତେବେ ଜଟିଳ ପରିସ୍ଥିତି ଦେଖା ଦେବାର ଆଶଙ୍କା ରହିଛି। ଏହି ବନ୍ଧ ଭାଙ୍ଗିଲେ ୬୪ଟି ମୈାଜାକୁ ବିପଦ ଦେଖା ଦେବ। ପୁରୀ-ସାତପଡ଼ା ରାଜପଥ ବୁଡିବାର ମଧ୍ୟ ଆଶଙ୍କା ସହିିତ ୫ଟି ପଞ୍ଚାୟତ ଜଳମଗ୍ନ ହେବାର ଆଶଙ୍କା ରହିଛି। ଗୋଟିଏ ପଟେ ନଦୀବନ୍ଧ ଦୁର୍ବଳ ଥିବା ବେଳେ ଏଠାରେ ନଦୀ ବନ୍ଧ ତଳେ ଏକ ମାଟି ରାସ୍ତା ଯାତାୟାତ ପାଇଁ ହୋଇଛି। କିନ୍ତୁ ବର୍ଷା ଯୋଗୁ ଏହି ରାସ୍ତା କାଦୁଅରେ ଭର୍ତ୍ତି ହୋଇ ଯାଇଥିବାରୁ ଏହି ରାସ୍ତାରେ ଏବେ ଯାତାୟାତ ପୁରା କଷ୍ଟକର ହୋଇ ପଡିଛି।

ଭାର୍ଗବୀ ନଦୀବନ୍ଧକୁ ବିପଦ
ବଳଙ୍ଗା: ଭାର୍ଗବୀ ନଦୀ ବନ୍ଧର ବାଲିଆ ସ୍ଲୁଇସ୍‌ ଗେଟ୍‌ଠାରେ ମାଟିଅତଡା ଧସି ଏକ ବଡ ଗର୍ତ ସୃଷ୍ଟି ହୋଇଛି। ଏହା ନଦୀବନ୍ଧପ୍ରତି ବିପଦ ସୃଷ୍ଟି କରିଛି। ତେବେ ନିର୍ମାଣ ଜନିତ ତ୍ରୁଟି ଓ ସଠିକ୍ ବୈଷୟିକ ଆକଳନ ଅଭାବରୁ ପ୍ରତିବର୍ଷ ମାଟି ଅତଡଦ ଧସିବା ଏକ ନିୟମିତ ଘଟଣା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ସ୍ଲୁଇସ୍‌ ଗେଟ୍ ଦେଇ ବାଲିଆ, କଣ୍ଟୁଣିଆ, ଦେଉଳି, ସମରେଇ, ହରିପୁର, ଗଡପଦନପୁର, ପ୍ରଭୃତି ବ୍ୟାପକ ଅଂଚଳର ଗହିରର ଉଦ୍‌ବୃତ ବର୍ଷାପାଣି ଭାର୍ଗବୀ ନଦୀକୁ ଖଲାସ ହୋଇଥାଏ। ବଳଙ୍ଗା ଜଳସମ୍ପଦ ଉପଖଣ୍ତ ଅଧୀନରେ ଥିବା ଏହି ସ୍ଲୁଇସ୍‌ ଗେଟର ଚଳିତ ବର୍ଷ ପୁନ ନିର୍ମାଣ ଓ ଖଲାସି ନାଳର କଙ୍କ୍ରିଟ୍ ବାଡ କରାଯାଇଥିଲା। ମାତ୍ର ଖଲାସି ନାଳର ଶେଷ ଅଂଶରେ ଏକ ବୁଲାଣି ଦେଇ ଭାର୍ଗବୀ ନଦୀକୁ ପାଣି ଖଲାସ ହେଉଛି। ଏହି ସ୍ଥାନରେ କଙ୍କ୍ରିଟ୍ ବନ୍ଧ ନଥିବାରୁ ଖଲାସ ହେଉଥିବା ପାଣି ବନ୍ଧ ମୂଳରେ ପ୍ରବାହିତ ହୋଇ ବନ୍ଧକୁ ଧକ୍କା ଦେଉଛି। ତେଣୁ ବନ୍ଧପାଖରେ ମାଟି ଅତଡ଼ା ଧସିବା ବଢିଚାଲିଛି। ଯାହାକି ନଦୀବନ୍ଧ ଓ ସଂମ୍ପୃକ୍ତ ଅଞ୍ଚଳ ପ୍ରତି ବିପଦ ଆଂଶଙ୍କା ସୃଷ୍ଟି କରୁଛି। ଏ ସମ୍ପର୍କରେ ବଳଙ୍ଗା ଜଳସମ୍ପଦ ଅଧିକାରୀ ରାକେଶ କୁମାର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଆମେ ଏହା ଉପରେ ଦୃଷ୍ଟି ରଖିଛୁ, ବନ୍ଧ ସୁରକ୍ଷା ଓ ସୁଦୃଢିକରଣ କାର୍ଯ୍ୟ ଜାରି ରହିଛି। ବନ୍ଧ ପ୍ରତି କୌଣସି ବିପଦ ନାହିଁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର