ଡ୍ରେନେଜ୍ ବିଭାଗ ବିକଳାଙ୍ଗ ହୋଇଗଲାଣି

ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝା଼ଡ଼ିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି
ଯଦି ଛତିଶଗଡ଼ ଜଳ ଆୟୋଗା ଅନୁମତି ନେଲାନିି, ଉଦନ୍ତୀ କ୍ଷେତ୍ରରେ କାହିଁକି?
ଚଳିତବର୍ଷ ଦେଓ ଜଳସେଚନ ପ୍ରକଳ୍ପ ଶେଷ କରିବା ଉପରେ ଗୁରୁତ୍ବ

ଭୁବନେଶ୍ବର : ଯଦି ଛତିଶଗଡ଼ ସରକାର କେନ୍ଦ୍ରୀୟ ଜଳ ଆୟୋଗର ବିନା ଅନୁମତିରେ ୯୯ଟି କ୍ଷୁଦ୍ର ଓ ମଧ୍ୟମ ଏବଂ ୯ଟି ବଡ଼ ବ୍ୟାରେଜ୍ ନିର୍ମାଣ କରିପାରିଲେ, ତେବେ ଉଦନ୍ତୀ ପ୍ରକଳ୍ପ ପାଇଁ ସରକାର ଆୟୋଗ ସମ୍ମତିକୁ କାହିଁକି ଅପେକ୍ଷା କରୁଛନ୍ତି?

ଏକଥା ଆଉ କେହି ନୁହେଁ, ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ବରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି (ଜଳସଂପଦ ବିଭାଗ) ସରକାରଙ୍କୁ ପଚାରିଛନ୍ତି। ତାଙ୍କ ରିପୋର୍ଟରେ କମିଟି ସୁପାରିସ କରିଛନ୍ତି ଯେ ସରକାର ଏବେ ଅଧିକରୁ ଅଧିକ ନଦୀ ମଧ୍ୟରେ ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଅାଯାଉ।

ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ ବେଳେ ଦେଖିଛି ଯେ ମେଗା ଉଠାଜଳସେଚନ କ୍ଷେତ୍ରରେ ମୋଟ ୨୦୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେ ମଧ୍ୟରୁ ୧୦୯ଟି ଶେଷ ହୋଇଛି। ୩୯ଟି ଏବର୍ଷ ଶେଷ ହେବ। ବଳକା ୬୦ଟି ପ୍ରକଳ୍ପ ଆସନ୍ତାବର୍ଷ କାର୍ଯ୍ୟକାରୀ କରାଯିବ। ତେବେ ଏସବୁ ପ୍ରକଳ୍ପ କରୁଥିବା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ଶେଷ ପରେ ୫ବର୍ଷର ପରିଚାଳନା ଦାୟିତ୍ବ ଦିଆଯାଉ। ଏହା ପରେ ଏସବୁର ପରିଚାଳନା କିଭଳି ହେବ, ସେ ନେଇ ମଧ୍ୟ ସରକାର ଆବଶ୍ୟକ ଯୋଜନା କରନ୍ତୁ।

ରାଜ୍ୟରେ ଡ୍ରେନେଜ୍ କ୍ଷେତ୍ରରେ ଏଯାଏ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇନାହିଁ ବୋଲି କମିଟି ରିପୋର୍ଟରେ ଅସନ୍ତୋଷ ଝାଡ଼ିଛି। କେବଳ ସେତିକି ନୁହେଁ, ଏକଥା ବି ସିଧା ସିଧା କହିଛି ଯେ ଏହି ସଂସ୍ଥା ବିକଳାଙ୍ଗ ହୋଇଗଲାଣି। ଏଣୁ ସରକାର ତୁରନ୍ତ ରାଜ୍ୟରେ ଡ୍ରେନେଜ୍ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ଦରକାର ଓ ଯେଉଁ ସବୁ ସମସ୍ୟା ରହିଛି ତାର ଦୂରୀକରଣ ପାଇଁ ଆବଶ୍ୟକ ଅର୍ଥ ବରାଦ କରିବା ଉଚିତ୍।

ସେହିଭଳି ମାଇନର୍‌ ଇରିଗେସନ୍ କ୍ଷେତ୍ରରେ ମଧ୍ୟ ଆବଶ୍ୟକ ସମସ୍ୟା ଚିହ୍ନଟ େହାଇନାହିଁ। ପ୍ରକଳ୍ପର ଆବଶ୍ୟକତା ଅଛି କି ନାହିଁ, ଏହା ହୋଇପାରିବ ନା ନାହିଁ, ଏସବୁକୁ ଅନୁଧ୍ୟାନ ନ କରି ଲୋକଙ୍କ ଦାବିରେ ପ୍ରକଳ୍ପ ହାତକୁ ନିଆଯାଉଛି। ଏଣୁ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଡ଼ିଭିଜନ ଵାରି ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସ୍ଥିତି, ଆଗକୁ ପ୍ରସ୍ତାବିତ ପ୍ରକଳ୍ପ ଜଣାପଡ଼ିଲେ ଯାଇ ଏ କ୍ଷେତ୍ରରେ ଏକ ସୁବିଧାଜନକ ସ୍ଥିତି ହେବ। ପ୍ରକଳ୍ପ ଚିହ୍ନଟ ସମୟରେ ସାଧାରଣ ଲୋକ ଓ ଲୋକ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି କମିଟି ସୁପାରିସ କରିଛି।

କମିଟି କହିଛି, ଅଚଳ ଟ୍ୟୁବ୍‌େଵଲ୍ ମରାମତି ପାଇଁ ୧୬୦ କୋଟିର ବଜେଟ୍ ହୋଇଛି। ସାମାନ୍ୟ ମରାମତି ପାଇଁ ୧କୋଟିର ବ୍ୟବସ୍ଥା କରାଯାଇଛି। ଏହା ପର୍ଯ୍ୟାପ୍ତ ନୁହେଁ। ଏ କ୍ଷେତ୍ରରେ ଆଉ ୩୦ କୋଟି ଦେବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଉଭୟ ପାଣ୍ଠିକୁ ଏକାଠି ପାଣି ପଞ୍ଚାୟତ ଓ ଅଚଳ ଟ୍ୟୁବ୍‌ୱେଲ୍ ପାଇଁ ଖର୍ଚ୍ଚ କରିବା ଲାଗି କୁହାଯାଇଛି।

ବନ୍ୟା ନିୟନ୍ତ୍ରଣ ଯୋଜନା ଅନୁଧ୍ୟାନ କରି କମିଟି କହିଛି, ମୋଟ ୫୪୭ ପ୍ରକଳ୍ପ ମଧ୍ୟରୁ ୩୬୨ଟି ଶେଷ ହୋଇଛି। ବଳକା ୧୮୫ଟି ପ୍ରକଳ୍ପ ଜାରି ରହିଛି। ଏବର୍ଷ ୫୩୭ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। କମିଟି କହିଛି, ବସ୍ତା ଓ ବାଲିଆପାଳ ବ୍ଲକର ଡ୍ରେନେଜ୍ ସମସ୍ୟା ସମାଧାନ ପାଇଁ ମାଷ୍ଟ୍୍‌ର ପ୍ଲାନ୍ ଦରକାର। ବର୍ତ୍ତମାନ ଜାତୀୟ ରାଜପଥ, ରେଳଲାଇନ୍, ଅନ୍ୟାନ୍ୟ ରାସ୍ତା କାରଣରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହାକୁ ନାବାର୍ଡ ସାମ୍ନାେର ରଖି ଅଧିକ ପାଣ୍ଠି ଆଣିବା ଉଚିତ୍। ମାଟି ଖୋଳିବା କ୍ଷେତ୍ରରେ କ୍ୟୁବିକ୍ ଫୁଟ୍ ପିଛା ଥିବା ୨୫ ଟଙ୍କାକୁ ବୃଦ୍ଧି କରାଯିବା ଓ ଚଳିତବର୍ଷ ଦେଓ ଜଳସେଚନ ପ୍ରକଳ୍ପ ଶେଷ କରିବା ଲାଗି କମିଟି ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର