ଡ୍ରେନେଜ୍ ଡିଭିଜନ୍ ଦୁର୍ନୀତିର ତନାଘନା, କ୍ଷେତ୍ର ପରିଦର୍ଶନ କଲେ ମୁଖ୍ୟଯନ୍ତ୍ରୀ

ଯାଜପୁର/ବିଂଝାରପୁର : ଖାଲ ଜମିରୁ ଜଳ ନିଷ୍କାସନ ଓ କ୍ଷେତକୁ ଉତ୍ତମ ଯୋଗାଯୋଗ ପାଇଁ କାମ କରୁଥିବା ଡ୍ରେନେଜ୍ ଡିଭିଜନ୍‌ରେ କୋଟି କୋଟି ଟଙ୍କା କେଳେଙ୍କାରୀ। କେଉଁଠି ଘାସ ଚାଞ୍ଛି ଅର୍ଥ ‌ହଡ଼ପ ହେଉଛି ତ ଆଉ କେଉଁଠି ଗୁପ୍ତ ଟେଣ୍ଡର କରି ଅସାଧୁ ମେଣ୍ଟ ମାଲାମାଲ ହେଉଛନ୍ତି। ଏ ସଂପର୍କରେ ‘ସମ୍ବାଦ’ରେ ଲଗାତାର ତଥ୍ୟଭିତ୍ତିକ ଖବର ପ୍ରକାଶନ ପରେ ତଦନ୍ତ ଆରମ୍ଭ ହୋଇଛି। ଆଜି ଜଳସମ୍ପଦ ବିଭାଗ ମହାନଦୀ ନିମ୍ନ ଅବବାହିକା ମୁଖ୍ୟଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀଙ୍କ ସମେତ ରାଜ୍ୟ ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅଭିଯୋଗ ଉପରେ ଛାନଭିନ୍ କରିଛନ୍ତି। ଏହି ତଦନ୍ତକାରୀ ଦଳ ସହିତ ନିର୍ବାହୀ ଯନ୍ତ୍ରୀ ପ୍ରସାଦ ମହାପାତ୍ର ଓ ଯାଜପୁର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଧନେଶ୍ବର ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଗୋବିନ୍ଦପୁର ପାଟନାଳୀ ଖନନ ନାମରେ ଚାଲିଥିବା ଘାସ ସଫେଇ କାମର ସରଜମିନ୍ ତଦନ୍ତ କରି ପ୍ରତିନିଧି ଦଳ ବିରକ୍ତି ପ୍ରକାଶ କରିଛନ୍ତି। ରାଜ୍ୟସ୍ତରୀୟ ଅଧିକାରୀଙ୍କର ଅଚାନକ ଚଢ଼ଉ ପରେ ଦାୟିତ୍ବରେ ଥିବା ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ନିଦ ହଜିଯାଇଛି।

ଯାଜପୁର ଡ୍ରେନେଜ୍ ଡିଭିଜନ୍‌ରେ ବ୍ୟାପକ ହରିଲୁଟ୍‌ ଚାଲିଛି । ପାଟନାଳୀରୁ ଘାସ,ଦଳ ସଫେଇ ନାମରେ ଏଫ୍-୨ ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ‌ଚାଷ ଜମିକୁ ହୋଇଥିବା ଛୋଟ ଛୋଟ ପୋଲ ସମ୍ପୂର୍ଣ୍ଣ କରାନଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ବିଂଝାରପୁର ବ୍ଲକ୍ ଅଧୀନ ଗୋବିନ୍ଦପୁର ନାଳ ଖନନ ଏବେ ଚାଲିଛି। ଏଥିପାଇଁ ୨କୋଟି ୨୬ଲକ୍ଷ ୧୬ହଜାର ୩୭୮ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଶତକଡ଼ା ୧୪.୯୯ ପ୍ରତିଶତ କମ୍‌ ପରେ ୧କୋଟି ୯୨ଲକ୍ଷ ୨୬ହଜାର ୧୮୩ ଟଙ୍କା ବ୍ୟୟ କରାଯାଇଛି। ଗୁପ୍ତ ଭା‌ବେ ଏହି କାମ ହେଉଥିଲା। ଫଳକ ଲାଗିନଥିଲା। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ ଫଳକ ଲଗାଯାଇଛି। ଏହି ନିମ୍ନମାନ କାମକୁ ମୁଖ୍ୟଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଓ ରାଜ୍ୟ ପ୍ରତିନିଧି ଦେଖି ବିରକ୍ତ ପ୍ରକାଶ କରିବା ସହିତ ପୁଣି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ତେବେ କୁଣ୍ଡିନାଳରେ ଖନନ ଦେଖି ଏହି ଦଳ ସନ୍ତୋଷ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଯାଜପୁର ଡିଭିଜନ୍‌ରେ ୨୦୧୬-୧୭ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୫୭ଟି ଏଫ-୨ କରି ପାଟନାଳୀଗୁଡ଼ିକରୁ ଘାସ,ଦଳ ସଫେଇ ବାହାନାରେ ୯୦ ଲକ୍ଷ ୭୪ ହଜାର ୫୪୮ ଟଙ୍କା ହେରାଫେରି କରାଯାଇଛି। ସେହିପରି ପାଟନାଳୀ ପୁନଃଉଦ୍ଧାର ନାମରେ ମଧ୍ୟ ୨୦୧୬-୧୭ ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୪୫ଟି ପି-୧ ଓ ୩୨ଟି ଏଫ-୨ ଜରିଆରେ ୮୮କୋଟି ୬୭ଲକ୍ଷ ୬୦ହଜାର ୬୫୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଯାହାର ତଦନ୍ତ ଆରମ୍ଭ ହୋଇଛି। ଏପରିକି ଆଜି ଯାଜପୁର ବ୍ଲକ୍ ବିଚିତ୍ରପୁର ଅଞ୍ଚଳର କିଛି ଚାଷୀ ମଧ୍ୟ ଡିଭିଜନ କାର୍ଯ୍ୟାଳୟକୁ ଆସି ହୋହଲ୍ଲା କରିଛନ୍ତି।

ସମ୍ବନ୍ଧିତ ଖବର