ରାସ୍ତା କଡ଼େ ଡ୍ରେନ ଆବର୍ଜନା, ପରିବେଶ ଦୂଷିତ

ବ୍ୟାସନଗର : ବ୍ୟାସନଗର ପୌରସଂସ୍ଥା ନିଜେ ସହରର ପରିବେଶ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ନାଳନର୍ଦ୍ଦମା ସଫେଇ କରି ଜମା ହୋଇଥିବା ବର୍ଜ୍ୟବସ୍ତୁକୁ ରାସ୍ତା କଡ଼ରେ ପକାଇବାରୁ ଏପରି ଅଭିଯୋଗ ହୋଇଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଖୋଦ୍ ପୌର କର୍ତ୍ତୃପକ୍ଷ ଡ୍ରେନ୍‌ଗୁଡ଼ିକରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ନହକା ବାଇପାସ୍‌ ରାସ୍ତା କଡ଼ରେ ପକାଉଛନ୍ତି। କିଛିଦିନ ପୂର୍ବରୁ ଏହି ଆବର୍ଜନା ଡ୍ରେନ୍‌ ଗୁଡ଼ିକରେ ପଡ଼ିରହି ଦୁର୍ଗନ୍ଧ ହେଉଥିଲା। ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଲୋକମାନେ ଡ୍ରେନ୍‌ ସଫେଇ ପାଇଁ ଦାବି କରିଥିଲେ।

ପରେ ପୌର କର୍ତ୍ତୃପକ୍ଷ ଡ୍ରେନ୍‌ଗୁଡ଼ିକୁ ସଫେଇ କରି ବର୍ଜ୍ୟବସ୍ତୁକୁ ରାସ୍ତା ଉପରେ ପକାଇ ଦେଇଥିଲେ। ଏବେ ସେହି ବର୍ଜ୍ୟବସ୍ତୁକୁ ନହକା ବାଇପାସ୍ ରାସ୍ତା କଡ଼ରେ ପକାଯାଉଛି। ପ୍ରକାଶ ଯେ, ୨୦୧୪ ମସିହାରେ ବ୍ୟାସନଗରକୁ ସ୍ବଚ୍ଛ ସହର କରିବାକୁ ଯୋଜନା କରାଯାଇଥିଲା। ହେଲେ ୮ ବର୍ଷପରେ ମଧ୍ୟ ଏହି ଯୋଜନା ସଫଳ ହୋଇନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ପୌର କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ହାତ ଝାଡ଼ି ଦେଉଛନ୍ତି। କର୍ମଚାରୀମାନେ ଠିକ ଭାବେ ସଫେଇ କରୁଛନ୍ତି କି ନାହିଁ ଦାୟିତ୍ଵରେ ଥିବା ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ନାଳ ନର୍ଦ୍ଦମାରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହରର ପ୍ରବେଶ ପଥ ରାସ୍ତା କଡ଼ରେ ପକାଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ଚାନ୍ଦମା ଓ ଯୋଡ଼ାବର ଠାରେ ଡମ୍ପୟାଡ ନିର୍ମାଣ କରାଯାଇଛି।

ହେଲେ ବର୍ଜ୍ୟବସ୍ତୁ ସେଠାକୁ ନନେଇ ରାସ୍ତା କଡ଼ରେ କାହିଁକି ପକାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ପନିପରିବା, ମାଛମାଂସ, ହୋଟେଲ ଓ ଜଳଖିଆ ଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁ ପଡ଼ି ପରିବେଶ ନଷ୍ଟ ହେଉଛି। ସେହିପରି ଆଖପାଖ ଅଞ୍ଚଳରେ ହେଉଥିବା ବିବାହ, ବ୍ରତ ଭୋଜିରୁ ବାହାରୁଥିବା ଆବର୍ଜନା ମଧ୍ୟ ରାସ୍ତା କଡ଼ରେ ପକାଇ ଦିଆଯାଉଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ଦୁଇଟି ଆଦିବାସୀ ବସ୍ତି ରହିଛି। ଏଠାରେ ପ୍ରାୟ ୫୦ଟି ପରିବାର ବସବାସ କରୁଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ବହୁଲୋକ ନିଜ ଜମିରେ ଘର ନିର୍ମାଣ କରୁଛନ୍ତି। ବର୍ଜ୍ୟବସ୍ତୁ ପଡ଼ିବା ଫଳରେ ଦୁର୍ଗନ୍ଧ ହେବା ସହ ମଶାମାଛି ଉପଦ୍ରବରେ ଏହି ଅଞ୍ଚଳ ବସବାସ ଅନୁପଯୋଗୀ ହୋଇପଡ଼ିଛି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଫଳ ହେଉନାହିଁ। ତୁରନ୍ତ ଏହି ରାସ୍ତା କଡ଼ରୁ ବର୍ଜ୍ୟବସ୍ତୁ ସଫା କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର