ମାଲେସିଆ ଜାହାଜରୁ କଢ଼ାଗଲା ୧୦ ହଜାର ଲିଟର ତେଲ

ବ୍ରହ୍ମଗିରି : ଦୁଇ ଦିନର କସରତ ପରେ ଆଜି ଚିଲିକାର ରାଜହଂସ ପାଖ ସମୁଦ୍ରରେ ଫସି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୦ ହଜାର ଲିଟର ତେଲ ଏହି ଜାହାଜରୁ କଢ଼ାଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଗତକାଲି ତୁଳନାରେ କଣ୍ଟେନରରେ ଅଧିକ ପାଣି ପଶିବା ଫଳରେ ଏହା ଆଜି ଆହୁରି ଅଧିକ ବୁଡ଼ି ଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୯ ତାରିଖରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ଚିଲିକାର ରାଜହଂସଠାରେ ଫସି ରହିଛି। ଦୁଇ ଦିନ ହେଲା ଜାହାଜରୁ ତେଲ କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଲକତାରୁ ଆସିଥିବା ୭ ଜଣିଆ ବିଶେଷଜ୍ଞ ଦଳ ଓ ବାଲେଶ୍ବରରୁ ଆସିଥିବା ୧୨ଜଣିଆ ଟିମ୍ ଜାହାଜରୁ ତେଲ କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଆଜି ସକାଳୁ ଜହ୍ନିକୁଦା ପେଣ୍ଠରୁ ଛୋଟ ଭସାପୋଲ ଯୋଗେ ୩ ହଜାର ଲିଟର କ୍ଷମତା ବିଶିଷ୍ଟ ୪ଟି ବ୍ୟାରେଲ ଜାହାଜ ପାଖରେ ପହ‌ଞ୍ଚିଥିଲା। ଏହାପରେ ଡିଜେଲ ନିଷ୍କାସନ ଆରମ୍ଭ ହୋଇଥିଲା। ସମୁଦ୍ର କୂଳରେ ଥିବା ବାଲିପଠା ଉପରେ ରଖା ଯାଇଥିବା ବ୍ୟାରେଲ ଭିତରକୁ ପାଇପ୍‌ ପକାଇ ଡିଜେଲ ବାହର କରାଯାଇଥିଲା। ତେବେ ଯେମିତି ଡିଜେଲ ସମୁଦ୍ର କିମ୍ବା ଚିଲିକାରେ ନ ମିଶିବ ସେଥିପାଇଁ ଜାହାଜ ଭିତରେ ଓ ବାହାରେ ବିଶେଷଜ୍ଞ ଟିମ୍‌ ପୂରା ସର୍ତକତାର ସହିତ ଉପସ୍ଥିତ ରହି ଡିଜେଲ ବାହାର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୪ଟି ବ୍ୟାରେଲ ଭର୍ତ୍ତି ହେବା ପରେ ଏହାକୁ ପୁଣି ଥରେ ଭସାପୋଲ ଯୋଗେ ସାତପଡ଼ା ଘାଟକୁ ଅଣାଯାଇ ସେଠାରେ ପୂର୍ବରୁ ରଖା ଯାଇଥିବା ଟ୍ୟାଙ୍କରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନରେ ପୁଣି ଥରେ ଆଉ ୪ଟି ବ୍ୟାରେଲ ଯୋଗେ ଡିଜେଲ କଢା ଯାଇଥିଲା। ଏମିତି ଭାବେ ଦୁଇଟି ଦଫାରେ ୧୦ ହଜାର ଲିଟର ଡିଜେଲ ଜାହଜରୁ ନିଷ୍କାସନ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଆସନ୍ତାକାଲି ପୁଣିଥରେ ଡିଜେଲ କଢ଼ାଯିବ ବୋଲି କୃଷ୍ଣପ୍ରସାଦ ଥାନା ଆଇଆଇସି ଅଭିମନ୍ୟୁ ମାଝି କହିଛନ୍ତି। ଜାହାଜକୁ ପୂରା ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଥିବାବେଳେ ୨୪ ଘଣ୍ଟିଆ ପୁଲିସ ପହରା ରହିଥିବା ଶ୍ରୀ ମାଝି କହିଛନ୍ତି। ଅନ୍ୟପଟେ କଣ୍ଟେନରରେ ପାଣି ପଶି ଏହା ଆହୁରି ବୁଡ଼ି ଯାଇଛି।

ସୂଚନା ଅନୁଯାୟୀ, ଜାହାଜ ଭିତରେ ୭ଟି ଟ୍ୟାଙ୍କରର ଡିଜେଲ ଭର୍ତ୍ତି ହୋଇ ରହିଛି। ତୁରନ୍ତ ଜାହାଜରୁ ଡିଜେଲ କାଢିବା ସହିତ ଜାହାଜକୁ ଉପକୂଳରୁ ନେବାକୁ ଜାହାଜ କମ୍ପାନି ଏବଂ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିଲା। ଜାହାଜରେ ୩୦ ହଜାର ଲିଟର ଡିଜେଲ, ୨ ହଜାର ଲିଟର ଲୁବ୍ରିକାଣ୍ଟ ଏବଂ ଶହେ ଲିଟର ହାଇଡ୍ରୋଲିକ ଅଏଲ ଥିବା ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ମୁଖ୍ୟ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡଙ୍କୁ ଚିଠି ଲେଖାଯାଇଥିଲା। ତୁରନ୍ତ ଜାହାଜରୁ ତେଲ ନ କାଢ଼ିଲେ ଚିଲିକା ପ୍ରତି ବିପଦ ଦେଖା ଦେବା ସହିତ ଜୈବ ବିବିଧତା ନଷ୍ଟ ହେବା ନେଇ କୋଷ୍ଟ ଗାର୍ଡ ସତର୍କ କରିଥିଲା।

ସମ୍ବନ୍ଧିତ ଖବର