କୋକସରା ବ୍ଲକ୍‌ ଲଡୁଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ଅଳିଆ ଆବର୍ଜନାରେ ଡ୍ରେନ ଭର୍ତ୍ତି, ଦୁଗର୍ନ୍ଧରେ ନାକ ଫାଟି ପଡୁଛି

କୋକସରା : କୋକସରା ବ୍ଲକ୍‌ ଲଡୁଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିଭିନ୍ନ ପଡାମାନଙ୍କରେ ଥିବା ଡ୍ରେନରେ ମଇଳା ଜମା ହୋଇରହିଛି। ଫଳରେ ଦୁଗର୍ନ୍ଧରେ ନାକ ଫାଟି ପଡୁଛି। ଏହାଛଡ଼ା ମଶାଙ୍କ ତତ୍ପାତରେ ଲୋକେ ଅତିଷ୍ଟ ହୋଇ ପଡ଼ିଲେଣି। ଲଡୁଗାଁ ପଞ୍ଚାୟତ ୨୦ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ମୁଟ୍ରାବାହିଲି, ସୁନାମାଲ, ସୁପାଡ, ଆଇଁଲି, ପିତବାସପୁର ଆଦି ଗ୍ରାମ ରହିଛି। ବର୍ତ୍ତମାନ ଲଡୁଗାଁର ଭିର୍କାପଡା, ଶିଶୁ ମନ୍ଦିର ପଡା, ପୂଝାରୀପଡା, ଶବରପଡା, ବନ୍ଦପଡା, ବନ୍ଦ ତଳପଡା, ବଡପଡା, ବାବାସାହବ ଆମ୍ଭେଦକର ପଡା, ଛେଲିଆପଡା, ମାଝିପଡା ଆଦି ଅଞ୍ଚଳର ଡ୍ରେନ ଗୁଡ଼ିକ ସଫା କରାଯାଉ ନଥିବାରୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷେ ସ୍ଥାନୀୟ ବସଷ୍ଟାଣ୍ଡରୁ ମକର ପାନ ଦୋକାନ ପର୍ଯ୍ୟନ୍ତ ଡ୍ରେନ ଜାମ ହୋଇ ରହିଥିବାବଳେ ଷ୍ଟେଟବ୍ୟାଙ୍କ ଛକ, ଶିଶୁ ମନ୍ଦିର ଗଳି, ବଡପଡା, ନାଏକପଡା ଆଦି ସ୍ଥାନରେ ମଇଳା ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ରାଜେଶ ନାଏକ ଓ ଆଚାରୀ ଘର ସମ୍ମୁଖରେ ପାଣି ଜମି ରହୁଛି। ଏଥିଯୋଗୁଁ ସଂକ୍ରମଣ ରୋଗ ହେବାରେ ଆଶଙ୍କା ରହିଛି। ଏହି କାରଣରୁ ଗତବର୍ଷ ଅଗଷ୍ଟ ମାସରେ ଲଡୁଗାଁରେ ଡେଙ୍ଗୁ ଜ୍ୱର ହୋଇଥିଲା। ଏଥିରେ ୫ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ଡେଙ୍ଗୁ ରୋଗରେ ମୃତ୍ୟୁ ଘଟିଥିବା ବେସରକାରୀ ଭାବେ ପ୍ରକାଶ କରାଯାଇଥିଲା। ଆଗକୁ ବର୍ଷା ଦିନ ଆସୁଛି। ତା’ ପୂର୍ବରୁ ଉକ୍ତ ଡ୍ରେନ୍ ସଫା ନକଲେ ପୁଣି ଡେଙ୍ଗୁ ଜ୍ବର ହେବାର ଆଶଙ୍କା ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏନେଇ ଲଡୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସଙ୍କୁ ପଚାରିବାରୁ ପରିମଳ ବ୍ୟବସ୍ଥା ଦିଗରେ ଗୁରୁତ୍ବ ଦିଆଯାଉଛି। ଆଗାମୀ ଦିନରେ ଡ୍ରେନ୍ ସବୁ ସଫା କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର