ଯାଜପୁର/ବିଂଝାରପୁର : ଉଚ୍ଚ ଜମିକୁ ଜଳସେଚନ ଯେପରି ସମସ୍ୟା, ଖାଲୁଆ ଜମିରୁ ଜଳ ନିଷ୍କାସନ ତା’ଠାରୁ ବଡ଼ ସମସ୍ୟା। ଜିଲ୍ଲାର ହଜାର ହଜାର ହେକ୍ଟର ଖାଲୁଆ ଜମିରୁ ପ୍ରତିବର୍ଷ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଲକ୍ଷାଧିକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଖାଲୁଆ ଜମିରୁ ଜଳ ନିଷ୍କାସନ ପାଇଁ ଦୀର୍ଘଦିନରୁ ଜଳସମ୍ପଦ ବିଭାଗର ଡ୍ରେନେଜ୍ ଡିଭିଜନ୍ ଚଣ୍ଡିଖୋଲ ଜରିଆରେ କାମ ଚାଲିଛି। ଏବେ ଯାଜପୁର ଜିଲ୍ଲା ପାଇଁ ଯାଜପୁରଟାଉନ୍ରେ ଖୋଲା ଯାଇଥିବା ସ୍ବତନ୍ତ୍ର ଡିଭିଜନ୍ରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ନାଳ ଖୋଳାରେ କେବଳ ଘାସ ଚାଞ୍ଛି ୨ କୋଟି ୨୬ଲକ୍ଷ ୧୬ହଜାର ୩୭୮ଟଙ୍କା ହଡ଼ପ କରାଯାଇଛି।
ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଜଗତସିଂହପୁର ଜିଲ୍ଲାର ଆଂଶିକ ଅଞ୍ଚଳ ଚଣ୍ଡିଖୋଲ ଡ୍ରେନେଜ୍ ଡିଭିଜନ୍ ଅଧୀନରେ କାମ କରୁଥିଲା। ଏହି ଡିଭିଜନ୍ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲିଟିଥିଲା। ଶହ ଶହ କୋଟି ଟଙ୍କା ଏହି ଡିଭିଜନରେ ଟେଣ୍ଡର ଫିକ୍ସିଂ ହେଉଥିଲା। ଏବେ ଯାଜପୁର ଜିଲ୍ଲା ପାଇଁ ଯାଜପୁରଟାଉନ୍ରେ ସ୍ବତନ୍ତ୍ର ଡିଭିଜନ୍ ଖୋଲାଯାଇଛି। ଏଠାରେ ମଧ୍ୟ ଠିକାଦାର ମାଲାମାଲ ହେଉଥିବା ବେଳେ ନିମ୍ନମାନର କାମ ପାଇଁ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଗତ ୪ବର୍ଷ ମଧ୍ୟରେ୧୧୪କୋଟି ୨୦ ଲକ୍ଷରୁ ଅଧିକ ଟଙ୍କା ଏହି ଡିଭିଜନ ଅଧୀନରେ ଜଳ ନିଷ୍କାସନ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୫୬କୋଟି ୧୪ଲକ୍ଷ ୭୧ହଜାର ୨୪୮ ଟଙ୍କା, ୨୦୧୭-୧୮ରେ ୨୯କୋଟି ୦୫ଲକ୍ଷ ୨୦ ହଜାର ୦୩୦ ଟଙ୍କା, ୨୦୧୮-୧୯ରେ ୨୭କୋଟି ୭୧ଲକ୍ଷ ୨୮ହଜାର ୬୧୫ ଟଙ୍କା, ୨୦୧୯-୨୦୨୦(ଆଂଶିକ) ୧କୋଟି ୨୮ଲକ୍ଷ ୮୫ ହଜାର ୯୬୧ ଟଙ୍କା ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି।
ସୂଚନା ଅନୁସାରେ, ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ନାଳ ଖୋଳାରେ ୨ କୋଟି ୨୬ଲକ୍ଷ ୧୬ହଜାର ୩୭୮ ଟଙ୍କା ବ୍ୟୟ ହୋଇଛି। ମାତ୍ର ଘାସ ଚାଞ୍ଛି ସରକାରୀ ଅନୁଦାନ ହଡପ କରାଯାଇଛି ବୋଲି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଯାଜପୁର ବ୍ଲକ୍ ସାନସୁଆର ପଞ୍ଚାୟତ ଅରଡ଼ପଡ଼ା ଠାରୁ ବାହାରି ଗୁହାଳି ପଞ୍ଚାୟତ ଗୋବିନ୍ଦପୁର ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଯାଇଥିବା ଗୋବିନ୍ଦପୁର ନାଳ ଖୋଳା କାର୍ଯ୍ୟ ଶେଷ ହୋଇଛି। ଏହି ନାଳଟି ୬ କିଲୋମିଟର ଲମ୍ବା ଡ୍ରେନେଜ ବିଭାଗ ପକ୍ଷରୁ ୨କୋଟି ୨୬ଲକ୍ଷ ୧୬ହଜାର ୩୭୮ଟଙ୍କା ବ୍ୟୟ ବରାଦ କରାଯାଇଥିଲା। କାର୍ଯ୍ୟ କରୁଥିବା ଠିକାସଂସ୍ଥା ନାଳକୁ ଖୋଳିବା ପରିବର୍ତ୍ତେ ପୂର୍ବରୁ ଥିବା ଅଣଓସାରିଆ ନାଳରୁ କେବଳ ଘାସ ଚାଞ୍ଛି ଦେଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ଷେତ୍ରକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀ ଆସୁନଥିବା ଚାଷୀମାନେ ଅଭିଯୋଗ କରିବା ସହ ନିମ୍ନମାନର ନାଳ ଖୋଳି ଠିକାଦାର ଓ ବିଭାଗୀୟ ଅଧିକାରୀ ହାତ ଚିକ୍କଣ କରୁଥିବା କହୁଛନ୍ତି।
ଏ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଅଧର ପ୍ରସାଦ ଜେନାଙ୍କୁ ପଚାରିବାରୁ ନାଳ ଖୋଳାରେ ବ୍ୟତିକ୍ରମ ହୋଇଥିବା ସ୍ବୀକାର କରିଛନ୍ତି। ନାଳର ଓସାର ସର୍ବନିମ୍ନ ୪ମିଟର ନହେଲେ ବିଲ ପଇଠ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/drain.jpg)