ବେତନଟୀ ସଦର: ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ବଜାର ଦେଇ ଯାଇଥିବା ରୁପ୍ସା-ଉଦଳା ରାସ୍ତା ଉପରେ। କିଛିଦିନ ହେବ ପୂର୍ତ୍ତ ବିଭାଗ ଅଧୀନ ଉକ୍ତ ଏମଡିଆର-୭୦ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲିଥିବାବେଳେ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇଗଲାଣି। ମୁଖ୍ୟତଃ ବୈଶିଙ୍ଗା ବସ୍ଷ୍ଟାଣ୍ଡରୁ ମାଣତ୍ରୀ ପଟକୁ ଯାଇଥିବା ରାସ୍ତାର ଡାକ୍ତରଖାନା ଛକ ନିକଟସ୍ଥ ୫୦୦ମିଟର ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଉକ୍ତ ସ୍ଥାନରେ ରାସ୍ତା ପାର୍ଶ୍ୱରେ ଚାଲିଥିବା ଘରୋଇ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଡ୍ରେନ ସବୁକୁ ଜାଣିଶୁଣି ଅବରୋଧ କରି ଦିଆଯାଇଛି, ଯୋଉଁଥିପାଇଁ ଉପରୁ ଆସୁଥିବା ନର୍ଦମା ପାଣି ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ଓ ଡ୍ରେନର ନର୍ଦମା ପାଣି ସବୁବେଳେ ରାସ୍ତାରେ ଭାସୁଛି।
ରାସ୍ତା ସାରା କୁଢ଼କୁଢ଼ ମଇଳା ବି ଜମା ହୋଇରହୁଛି ଓ ରାସ୍ତାରେ ବଡ଼ ବଡ଼ ଖାଲ ଖମା ବି ସୃଷ୍ଟି ହୋଇଗଲାଣି। ଫଳରେ ରାସ୍ତାରେ ଚାଳୁଥିବା ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି। ଏମିତିକି ରହିଥିବା ଖାଲ ଗୁଡିକରେ ନାଳ ନର୍ଦମାର ପାଣି ଯାନବାହାନ ଯିବା ଆସିବା ଯୋଗୁଁ ଲୋକଙ୍କ ଉପରେ ପାଣିର ଛିଟକା ପଡୁଥିବା ଦେଖିବାକୁ ମିଳିଛି । ଛଅ ମାସ ହେବ ନର୍ଦମା ପାଣି ଜମି ରହୁଥିବାରୁ ଅନେକ ମଶାମାଛିର ଆଶ୍ରୟସ୍ଥଳି ପାଲିଟିଛି।
ଏହି ରାସ୍ତା ଦେଇ ମାସ ମାସ ଧରି ଏ ସମସ୍ୟା ଲାଗି ରହିଥିଲେ ବି ପଂଚାୟତ କର୍ତ୍ତୃପକ୍ଷ କିମ୍ବା ପୂର୍ତ୍ତ ବିଭାଗର ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାରେ ପ୍ରତ୍ୟହ ହଜାର ହଜାର ଲୋକ ଯିବା ଆସିବା କରୁଥିବାବେଳେ ଖୋଦ ବୈଶିଙ୍ଗା ବଜାରର ଡାକ୍ତରଖାନାକୁ ଯାଉଥିବା ମୁଖ୍ୟ ରାସ୍ତାରେ ଯଦି ଏଭଳି ସମସ୍ୟା ଲାଗି ରହିଥିବାରୁ ବେଲେ ଅନ୍ୟ ଗ୍ରାମରେ କିଭଲି ସମସ୍ୟା ଥିବ ତାହା ସହଜେ ଅନୁମାନ କରାଯାଇପାରେ। ଅନ୍ୟପଟେ ଡ୍ରେନେଜ ବ୍ୟବସ୍ଥା ଅବରୋଧ ନେଇ ଗୃହ ନିର୍ମାଣ କରୁଥିବା ରାସ୍ତା ପାର୍ଶ୍ୱ ଲୋକଙ୍କ ଉଦାସିନତା ଯୋଗୁଁ ଏଭଲି ସମସ୍ୟା ହୋଇଥିବା ବୋଲି ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମସ୍ୟା ର ଯଥାଶିଘ୍ର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।