ଭାପୁର : ଆବର୍ଜନା ପାଣିରେ ଭାସୁଛି ଗାଁ ଦାଣ୍ଡ, ମଶା ମାଛିଙ୍କ ପ୍ରାଦୁର୍ଭାବ ଓ ଦୁର୍ଗନ୍ଧରେ ୱାର୍ଡବାସୀ ଅତିଷ୍ଠ

ଭାପୁର : ସ୍ୱଚ୍ଛତା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସଚେତନତା ପାଇଁ ରାସ୍ତା କଡ଼ରେ ବଡ଼ ବଡ଼ ହୋର୍ଡିଂ ଲାଗିଛି। କିନ୍ତୁ ଭାପୁର ବ୍ଲକ୍‌ ବାଇଗୁଣିଆ ପଞ୍ଚାୟତ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଦାଣ୍ତ ମଇଳା ଓ ଆବର୍ଜନା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ମଶା ମାଛିଙ୍କ ପ୍ରାଦୁର୍ଭାବ ଓ ଦୁର୍ଗନ୍ଧରେ ୱାର୍ଡବାସୀ ଅତିଷ୍ଠ ହୋଇ ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ୧୧ନଂ ୱାର୍ଡରେ ପ୍ରାୟ ୩ ଶହ ୫୦ ରୁ ଊର୍ଦ୍ଧ୍ବ ଲୋକ ବସବାସ କରିଥାନ୍ତି। ଏହି ସାହିରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାବେଳେ ନଳକୂପ, କୂପ ଓ ଘରର ଅପରିଷ୍କାର ପାଣିକୁ ଲୋକେ ଦାଣ୍ଡ ମଝିରେ ଛାଡ଼ି ଦେଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଆଜିକୁ ୫ ବର୍ଷ ହେବ ପାଣି ନିଷ୍କାସନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାହି ଦାଣ୍ତ ସନ୍ତସନ୍ତିଆ ରହିବା ସହ ମଶାମାଛିଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ଅପରିଷ୍କାର ପାଣି ସାଙ୍ଗକୁ ଦୁର୍ଗନ୍ଧ ପରିବେଶକୁ ସମ୍ପୂର୍ଣ୍ଣ ଅତିଷ୍ଠ କରି ପକାଉଥିବା ୱାର୍ଡବାସୀ ଅଭିଯୋଗ ଆଣିଛନ୍ତି। ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ସାହିରେ ମ୍ୟାଲେରିଆ, ଟାଇଫଏଡ୍ ଆଦି ଜ୍ବରରେ ଲୋକେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଏହି ସମସ୍ୟା ନେଇ ୱାର୍ଡ ସଭ୍ୟ ଅଶୋକ କୁମାର ସାମନ୍ତରାୟ ଭାପୁର ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା କହିଛନ୍ତି। ଘଟଣା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ୱାର୍ଡବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର